ଜଳେଶ୍ୱର,୨୩।୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଝାଡେଶ୍ୱରପୁର ବସ୍ତି ଅଞ୍ଚଳ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଏହି ଅଞ୍ଚଳରେ ବାରମ୍ବାର ଚଢାଉ କରାଯାଇ ବ୍ରାଉନସୁଗାର ଜବତ କରାଯାଉଥିଲେ ମଧ୍ୟ ଏହାକୁ ରୋକିବାରେ ପୋଲିସ ସକ୍ଷମ ହୋଇପାରିନାହିଁ। ଅପରପକ୍ଷେ ବେପାରୀମାନେ ନିଶା କାରବାର ଚଳାଇବା ଲାଗି ବିଭିନ୍ନ ଉପାୟ ଆପଣାଇ ପୋଲିସକୁ ଚକ୍ମା ଦେବାକୁ ଚେଷ୍ଟା ଚଳାଇଛନ୍ତି। କିଛି ଦିନ ତଳେ ଜଣେ ନାବାଳକଙ୍କ ମାଧ୍ୟମରେ ବ୍ରାଉନସୁଗାର ବିକ୍ରି ଖବର ଚର୍ଚ୍ଚାର ପରିସରକୁ ଆସିଥିଲା। ଶନିବାର ପୁଣି ଏହି ଅଞ୍ଚଳରେ ପୋଲିସ ଚଢ଼ାଉ କରି ନିଶା ବେପାରୀ ନୂଆ ତରିକା ଆପଣେଇଥିବା ଜାଣିବାକୁ ପାଇଛି। ବେପାରୀମାନେ ବାଲି ମଧ୍ୟରେ ବ୍ରାଉନସୁଗାର ପୋତି ବିକ୍ରି କରୁଛନ୍ତି। ଚଢାଉ ବେଳେ ୨୫୦ଗ୍ରାମ ବ୍ରାଉନ୍ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ହେଲେ ନିଶା ବେପାରୀ କୌଶଳ କ୍ରମେ ପୋଲିସ ହାତରୁ ଖସିଯାଇଛନ୍ତି। ଛାଡ଼ିଯାଇଥିବା ମୋବାଇଲ୍ ଫୋନ, ମନିପର୍ସ ପୋଲିସ ଜବତ କରିଛି।