କରୋନା ସଂକ୍ରମଣ ନେଇ ପ୍ରଚାର ହୋଇଛି ମିଥ୍ୟା ଖବର: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା,୬।୪: ଭାରତରେ କରୋନା ସଂକ୍ରମଣ ଜାରି ରହିଛି। ତେବେ ଏହାକୁ ନେଇ ମିଥ୍ୟା ଖବର ସୋସିଆଲ୍‌ ମିଡ଼ିଆରେ ପ୍ରଚାର ହୋଇଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୋସିଆଲ୍‌ ମିଡ଼ିଆରେ ପ୍ରଚାର ହୋଇଥିଲା ଯେ, ଏପ୍ରିଲ୍‌ ୧୫ ସୁଦ୍ଧା ଭାରତରେ କରୋନାରେ ଆକ୍ରାନ୍ତ ହୋଇ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବ। ଏହି ତଥ୍ୟ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସୋସିଆଲ୍‌ ମିଡ଼ିଆରେ ପ୍ରଚାରିତ ହେଉଛି। ମାତ୍ର ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏଭଳି କୌଣସି ସତର୍କ ସୂଚନା ଜାରି କରି ନାହିଁ। ବିଶ୍ୱସ୍ବାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହା ଅସତ୍ୟ ଖବର ବୋଲି ଟୁଇଟ୍‌ କରି କୁହାଯାଇଛି। ଲୋକଙ୍କୁ ବିଭ୍ରାନ୍ତ କରିବା ଲାଗି ଏଭଳି ଅପପ୍ରଚାର କରାଯାଉଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅଭିଯୋଗ କରିଛି। ସୂଚନାଯୋଗ୍ୟ, ଭାରତରେ କରୋନା ମୁକାବିଲା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଫେବୃୟାରୀରେ ପ୍ରଶଂସା କରାଯାଇଥିଲା। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାରିଫ୍‌ ମଧ୍ୟ କରିଥିଲା।

Share