Categories: ଜାତୀୟ

ସିଜେଆଇଙ୍କ ଉପରେ ସୋସିଆଲ ମିଡିଆରେ ମିଥ୍ୟା ପୋଷ୍ଟ

ନୂଆଦିଲ୍ଲୀ,୧୫ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଫାଇଲ ଫଟୋ ଏବଂ ତାଙ୍କର ନାଁରେ ଏକ ମିଛ ବିବୃତିକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରେ ଲେଖାଅଛି, ‘ଭାରତର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଆମେ ସବୁପ୍ରକାର ଉଦ୍ୟମ ଚଳାଇଛୁ। ତଥାପି ଆପଣମାନଙ୍କ ସହଯୋଗ ମଧ୍ୟ ଏଥିପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣ ଏକାଠି ହୋଇ ରାସ୍ତାକୁ ଓହ୍ଲାନ୍ତୁ ଏବଂ ସେମାନଙ୍କ ଅଧିକାର ପାଇଁ ସରକାରଙ୍କୁ ପ୍ରଶ୍ନ କରନ୍ତୁ। ଏକଚ୍ଛତ୍ରବାଦୀ ସରକାର ଲୋକଙ୍କୁ ଭୟଭୀତ କରାଇବେ, ଧମକ ଦେବେ; କିନ୍ତୁ ଏଥିରେ ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ। ସାହସ ରଖି ସରକାରଙ୍କୁ ଉତ୍ତର ମାଗନ୍ତୁ, ମୁଁ ଆପଣମାନଙ୍କ ସହ ରହିଛି।’ ସର୍ବୋଚ୍ଚ ଅଦାଲତ ସୋମବାର ଏକ ପ୍ରେସ୍‌ ନୋଟ୍‌ ଜାରି କରି କହିଛନ୍ତି, ସିଜେଆଇଙ୍କ ଦ୍ୱାରା ଏଭଳି ପୋଷ୍ଟ ଜାରି ହୋଇନାହିଁ କିମ୍ବା ଏଭଳି କୌଣସି ପୋଷ୍ଟ କରିବା ପାଇଁ ସେ କାହାକୁ ଅଧିକାର ଦେଇନାହାନ୍ତି। ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ଏକ ସୋସିଆଲ ମିଡିଆ ପୋଷ୍ଟରେ ଜନସାଧାଣଙ୍କୁ ଆହ୍ବାନ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କ ନଜରକୁ ଆସିଛି, ଯେଉଁଥିରେ ସିଜେଆଇଙ୍କ ଫଟୋ ଓ ମିଛ ମନ୍ତବ୍ୟକୁ ବ୍ୟବହାର କରାଯାଇଛି। ଏହି ପୋଷ୍ଟ ମିଥ୍ୟା, ମନ୍ଦ ଉଦ୍ଦେଶ୍ୟଯୁକ୍ତ ଏବଂ କୌତୂହଳପ୍ରଦ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Share