Categories: ଜାତୀୟ

ମିଥ୍ୟା ବଳାତ୍କାର ଅଭିଯୋଗ: ଯୁବକଙ୍କୁ ୧୫ ଲକ୍ଷ କ୍ଷତିପୂରଣ ଦେବେ ଯୁବତୀ

ଚେନ୍ନାଇ,୨୧।୧୧: ଜଣେ ଯୁବକଙ୍କ ବିରୋଧରେ ମିଥ୍ୟା ବଳାତ୍କାର ଅଭିଯୋଗ ଆଣିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ୍ୟ ହୋଇଥିବା ଯୁବତୀଙ୍କୁ ଚେନ୍ନାଇର ଏକ କୋର୍ଟ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ତୋଷ ନାମକ ଜନୈକ ଯୁବକଙ୍କ ବିରୋଧରେ ତାଙ୍କ ପଡ଼ିଶା ଘରେ ବାସ କରୁଥିବା ଯୁବତୀ ବଳାତ୍କାର ଅଭିଯୋଗ ଆଣିଥିଲେ। ଏନେଇ ସନ୍ତୋଷଙ୍କୁ ପୋଲିସ ଗିରଫ କରିଥିଲେ। ସନ୍ତୋଷ ୯୫ ଦିନ ଜେଲ୍‌ରେ ରହିବା ପରେ ୨୦୧୦ ଫେବୃୟାରୀ ୧୨ରେ ଜାମିନରେ ମୁକୁଳିଥିଲେ। ଯୁବତୀ ଜଣକ ସନ୍ତୋଷଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଥିଲେ। ଇତିମଧ୍ୟରେ ଗର୍ଭବତୀ ଥିବା ଯୁବତୀ ଜଣକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଜନ୍ମିତ କନ୍ୟା ସନ୍ତୋଷଙ୍କର ବୋଲି ଯୁବତୀ ଜଣକ ଅଭିଯୋଗ କରିଥିଲେ। ତେବେ ଡିଏନ୍‌ଏ ପରୀକ୍ଷାରୁ ପ୍ରମାଣିତ ହୋଇଥିଲା ଯେ, ଶିଶୁକନ୍ୟାଟିର ପିତା ସନ୍ତୋଷ ନୁହଁନ୍ତି। ଅନ୍ୟ କେହି ତାହାର ପିତା। ରିପୋର୍ଟକୁ ଆଧାର କରି କୋର୍ଟ ଯୁବତୀ ମିଥ୍ୟା ବଳାତ୍କାର ଅଭିଯୋଗ ଆଣିଥିବା କହିଥିଲେ। ଏହା ସହିତ ସନ୍ତୋଷଙ୍କୁ ୧୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share