ପାରିବାରିକ ଶତ୍ରୁତା ନେଲା ଶିଶୁର ଜୀବନ

ମାଲକାନଗିରି,୩୧ା୭(ଡି.ଏନ୍‌.ଏ.): ପାରିବାରିକ ଶତ୍ରୁତା ପାଇଁ ଜଣେ କୋମଳମତି ଶିଶୁର ଜୀବନ ଯାଇଛି। ଏହାକୁ କେନ୍ଦ୍ରକରି ଏମ୍‌ଭି-୧୯ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ମୃତ ଶିଶୁ ଜଣକ ହେଲେ ୫ବର୍ଷର ଅଙ୍କିତ ମଣ୍ଡଳ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ହତ୍ୟାକାଣ୍ଡ ଘଟିଛି।
ଅଙ୍କିତଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ଘରେ ମୃତଦେହ ଲୁଚାଇ ରଖିଥିଲେ। ଶୁକ୍ରବାର ରାତିରୁ ଅଙ୍କିତ ନିଖୋଜ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଶେଷରେ ପଡ଼ୋଶୀ ବିକାଶ ରାୟଙ୍କ ଘରେ ମୃତଦେହ ଥିବା ଜଣାପଡ଼ିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ଏମ୍‌ଭି-୧୯ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଅଙ୍କିତଙ୍କ ପରିବାର ଥାନାରେ ଏତଲା ଦେବା ପରେ ବିକାଶ ଥାନାରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କୁ ଗିରଫ କରାଯାଇଛି। ସେ ଅଙ୍କିତଙ୍କୁ ହତ୍ୟାକରି ନିଜ ଘରେ ଏକ ଚାଦର ଘୋଡ଼ାଇ ରଖିଥିବା ପଚରାଉଚୁରା ବେଳେ ସ୍ବୀକାର କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ଲୋକଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।

Share