Categories: ଜାତୀୟ

ବିଲେଇ ଖୋଜି ଆଣିଲେ ମିଳିବ ୧୦ ହଜାର ଟଙ୍କା

ପ୍ରୟାଗରାଜ,୧।୪: ପ୍ରାୟ ୭ ଦିନ ହେଲା ହଜିଯାଇଛି ପୋଷା ବିଲେଇ। ଏହାକୁ ଖୋଜି ଆଣିଦେଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର। ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ମହମ୍ମଦ ତାହିରଙ୍କ ଘରେଥିବା ପୋଷା ବିଲେଇଟି କେଉଁ ଆଡେ ନିଖୋଜ ହୋଇଯାଇଛି। ଲୁସି ନାମକ ଏହି ବିଲେଇର ପତ୍ତା ୭ ଦିନ ହେଲା ମିଳୁନି। ଏବେ ହଜି ଯାଇଥିବା ବିଲେଇକୁ ଖୋଜି ଆଣିବା ପାଇଁ ପରିବାର ପକ୍ଷରୁ ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଯଦି କେହି ଲୁସିକୁ ଖୋଜି ଆଣିବେ, ତା’ହେଲେ ତାଙ୍କୁ ତାହିର ପରିବାର ୧୦ ହଜାର ଟଙ୍କା ଦେବେ ବୋଲି କହିଛନ୍ତି। ବିଲେଇ ନିଖୋଜ ନେଇ ପରିବାର ପକ୍ଷରୁ ସିଭିଲ ଲାଇନ ଅଞ୍ଚଳରେ ଥିବା ବିଭିନ୍ନ କାନ୍ଥ, ବଜାର, ବିଦ୍ୟୁତ ଖୁଣ୍ଟ ଆଦିରେ ଲୁସିର ଫଟୋ ଥିବା ପୋଷ୍ଟର ମଧ୍ୟ ଲଗା ଯାଇଛି।

ମହମ୍ମଦ ତାହିର କହିଛନ୍ତି, ପ୍ରାୟ ଦେଢ଼ ବର୍ଷ ତଳେ ଲୁସିକୁ ଆମେ ଘରକୁ ଆଣିଥିଲୁ। ସେ ଆମର ପରିବାରର ସଦସ୍ୟ, ଆମ ପିଲା ଭଳି ଥିଲା। ଆମ ସହ ଖାଉଥିଲା ଓ ଆମ ସହ ଶୋଉଥିଲା। କିନ୍ତୁ ୭ ଦିନ ହେଲା ସେ କେଉଁଆ ଚାଲି ଯାଇଛି। ତା’କୁ ନ ପାଇ ପରିବାର ସବୁ ସଦସ୍ୟ ଭାଙ୍ଗି ପଡ଼ିଛୁ। ଲୁସିକୁ ଠାବ କରିବାକୁ ଆମେ ତା’ର ଫଟୋ ଚାରିଆଡେ ଲଗାଇଛୁ। ଲୁସିକୁ ଆମକୁ ଫେରାଇ ଦେଲେ, ଆମେ ୧୦ ହଜାର ଟଙ୍କା ମଧ୍ୟ ଦେବୁ। ଯଦି କେହି ତାଙ୍କୁ ରଖିଥିବେ ତେବେ ଟଙ୍କା ଯୋଗୁ ଫେରାଇ ଦେବେ ବୋଲି ସେ ଆଶା ରଖିଥିବା କହିଛନ୍ତି।

Share