Categories: ଜାତୀୟ

କୃଷକଙ୍କ ଆନ୍ଦୋଳନ : ପଞ୍ଜାବରେ ପାଣ୍ଠି ସଂଗ୍ରହର ମାଧ୍ୟମ ପାଲଟିଛି ବିବାହ

ଚଣ୍ଡିଗଡ଼,୧୧।୧୨: ରାଜଧାନୀ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପ୍ରବେଶ କରିଛି। ଏହି ଆନ୍ଦୋଳନକୁ ମିଳୁଛି ଦେଶର ବିଭିନ୍ନ ମହଲରୁ ସମର୍ଥନ। ଏବେ ଏହି ବିକ୍ଷୋଭକାରୀ କୃଷକଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାର ଜରିଆ ପାଲଟିଛି ପଞ୍ଜାବରେ ହେଉଥିବା ବିବାହ କାର୍ଯ୍ୟକ୍ରମ। କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପଞ୍ଜାବର ଶ୍ରୀ ମୁକ୍ତାସର ସାହିବ ଅଞ୍ଚଳରେ ଏକ ପରିବାର ଲକ୍ଷ ଲକ୍ଷ କୃଷକଙ୍କ ଲାଗି ବଢ଼ାଇଛି ସହାୟତାର ହାତ।

ପୁଅର ବିବାହରେ ପରିବାର ବର୍ଗ ଓ ବନ୍ଧୁମାନଙ୍କୁ ଗିପ୍ଟ ପରିବର୍ତ୍ତେ କୃଷକଙ୍କ ଆନ୍ଦୋଳନ ନିମନ୍ତେ ଟଙ୍କା ଦାନ କରିବାକୁ କୁହାଯାଇଛି। ଏଥି ନେଇ ବିବାହସ୍ଥଳରେ ରଖାଯାଇଥିଲା ଏକ ବଡ଼ ଦାନ ବାକ୍ସ। ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରତ୍ୟେକ ଅତିଥିଙ୍କୁ ବର-କନ୍ୟା କୃଷକଙ୍କ ହେତୁ ଟଙ୍କା ଦାନ କରିବାକୁ କହିଥିଲେ।

ଏହା ଆମ ସଂଘର୍ଷ ଓ ଆମକୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ। ସମସ୍ତେ କୃଷକଙ୍କୁ ସାହାଯ୍ୟ କରିବା ଦରକାର। କୃଷକ ଭାଇମାନେ ଆନ୍ଦୋଳନ କରୁଥିବାବେଳେ ଏଠାରେ ଆମେ ଉତ୍ସବ ପାଳନ କରୁଛୁ। ଆଉ ସେମାନଙ୍କ ସମର୍ଥନରେ ଆଗେଇ ଆସିବାକୁ କହିଛନ୍ତି ଅଭିଜିତ ସିଂହ (ବର)।

Share