କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ବାଲେଶ୍ୱର ଅଫିସ, ୨୧ା୫: ବାଲେଶ୍ୱର ସେଣ୍ଟ୍ରାଲ ସ୍କୁଲ ଛକ ନିକଟରେ ଥିବା ଏକ ଘରୋଇ କଲେଜ ହଷ୍ଟେଲ ଛାତରୁ ଖସି ଛାତ୍ରୀଙ୍କ ମୃତ୍ୟୁ ଘଟଣା ରହସ୍ୟମୟ ହୋଇପଡ଼ିଛି। ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ କଲେଜ କର୍ତ୍ତୃପକ୍ଷ କହୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ବାପା ସଦର ଥାନାରେ କଲେଜ କର୍ତ୍ତୃପକ୍ଷଙ୍କ ନାମରେ ଲିଖିତ ଅଭିଯୋଗ କରିବା ପରେ ମାମଲା (ନଂ.୧୫୦/୨୨) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ସଦର ଥାନା ଆଇଆଇସି ଅଶୋକ ନାୟକଙ୍କ ସମେତ ଏକ ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ହଷ୍ଟେଲ୍‌ ପରିସରରେ ପହଞ୍ଚତ୍ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛନ୍ତି। ମୃତ ଛାତ୍ରୀଙ୍କ ରୁମ୍‌ମେଟ, ହଷ୍ଟେଲ୍‌ ୱାର୍ଡ଼େନ୍‌, ପ୍ରିନ୍ସପାଲ ଏବଂ ହଷ୍ଟେଲ୍‌ ଆଖପାଖ ଲୋକଙ୍କ ସହ ପୋଲିସ ଟିମ୍‌ ଆଲୋଚନା କରିଛି। ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବା ବେଳେ ଛାତ୍ରୀଜଣଙ୍କ ଛାତରୁ ଖସି ପଡିଥିବା ପୋଲିସ ସ୍ପଷ୍ଟ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ଉକ୍ତ ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଞ୍ଚଳରେ।
ପୋଲିସ ସୂଚନା ଅନୁଯାୟୀ, ଗତ ୧୮ତାରିଖରେ ହଷ୍ଟେଲରେ ରହୁଥିବା ୩ଜଣ ରୁମ୍‌ମେଟଙ୍କ ୯୦୦ଟଙ୍କା ଚୋରି ହୋଇଥିଲା। ଏହି ଘଟଣାକୁ ନେଇ ସାଙ୍ଗମାନେ ଉକ୍ତ ଛାତ୍ରୀଙ୍କୁ ସନ୍ଦେହରେ ପଚରାଉଚରା କରିବା ସହ ହଷ୍ଟେଲ୍‌ ୱାଡେର୍ର୍ନ୍‌ଙ୍କୁ ଜଣାଇଥିଲେ। ୱାର୍ଡେନ ମଧ୍ୟ ତାଙ୍କୁ ତାଗିଦ୍‌ କରିଥିଲେ। ଛାତ୍ରୀ ଜଣକ ଏ ସମ୍ପର୍କରେ ତାଙ୍କ ବାପାଙ୍କୁ ରାତି ପ୍ରାୟ ୧୦ଟା ୪୦ମିନିଟ୍‌ରେ ଫୋନ୍‌ କରି କାନ୍ଦି କାନ୍ଦି ଜଣାଇବା ସହ ୨ଶହ ଟଙ୍କା ଦେଲେ ସେମାନଙ୍କୁ ଫେରାଇ ଦେବେ ବୋଲି କହିଥିଲେ। ମଧ୍ୟରାତି ପର୍ଯ୍ୟନ୍ତ ସିଡି ପାହାଚରେ ବସି ଛାତ୍ରୀ ଜଣକ ପାଠ ପଢୁଥିବା ଅନ୍ୟମାନେ ଦେଖିଥିଲେ। ହଠାତ୍‌ କିଛି ସମୟ ପରେ ସେ ହଷ୍ଟେଲ ତଳେ ଚେତାଶୂନ୍ୟ ହୋଇପଡ଼ିଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇବା ସହ ପରିବାର ଲୋକଙ୍କୁ ଜଣାଇଥିଲେ। ସେଠାରେ ଛାତ୍ରୀଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Share