ଭୁବନେଶ୍ୱର,୩୦ା୬(ବ୍ୟୁରୋ): କୋଭିଡ୍ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କର ମୃତ୍ୟୁ ହେଲେ ସେମାନଙ୍କ ଅନ୍ତିମ ସଂସ୍କାରକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଯଦି ସମ୍ପୃକ୍ତ ବ୍ୟକ୍ତି ମୃତ୍ୟୁବେଳକୁ କୋଭିଡ୍ ନେଗେଟିଭ୍ ଥିବେ ତେବେ ତାଙ୍କର ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ। ଏଥିପାଇଁ ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି।
ସଂକ୍ରମଣ ଆଶଙ୍କା ଓ କୋଭିଡ୍ ଗାଇଡଲାଇନକୁ ଦୃଷ୍ଟିରେ ରଖି ଦୀର୍ଘ ଦେଢ଼ବର୍ଷ ଧରି କୋଭିଡ୍ ସଂକ୍ରମିତ ମୃତ ରୋଗୀଙ୍କ ମୃତଦେହକୁ ଛୁଇଁବା ଅବା ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟଙ୍କୁ ଅନୁମତି ମିଳୁ ନ ଥିଲା।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ସମସ୍ତ ଜିଲାପାଳ, ମହାନଗର କମିଶନର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।