Categories: ଜାତୀୟ

ଅଗ୍ନିବୀରଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧ କୋଟି ଟଙ୍କା

ନୂଆଦିଲ୍ଲୀ,୨୩ା୧୦: କର୍ତ୍ତବ୍ୟରେ ଥିବା ବେଳେ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଲେ ସରକାର ପରିବାର ଲୋକଙ୍କୁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରିବେ। ସରକାରୀ ସୂଚନା ମୁତାବକ, ମୃତ ଅଗ୍ନିବୀରଙ୍କ ପରିବାରକୁ ବୀମା ବାବଦରେ ୪୮ ଲକ୍ଷ ଟଙ୍କା, କ୍ଷତିପୂରଣ ବାବଦରେ ୪୪ ଲକ୍ଷ ସହିତ ଅଗ୍ନିବୀରଙ୍କ ସେବା ନିଧିର ୩୦ ପ୍ରତିଶତ ପ୍ରଦାନ କରାଯିବ। ଏପରି କି ୪ ବର୍ଷ କାର୍ଯ୍ୟକାଳ ପୂରଣ ହେବାକୁ ଥିବା ଅବଶିଷ୍ଟ ଅବଧି ପାଇଁ ପାରିଶ୍ରମିକ ସହ ସଶସ୍ତ୍ର ବଳ କାଜୁଆଲିଟି ଫଣ୍ଡ୍‌ରୁ ୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ

ସୂଚନା ଯୋଗ୍ୟ, ସିଆଚେନ୍‌ରେ କର୍ତ୍ତବ୍ୟରେ ଥିବା ଜଣେ ଅଗ୍ନିବୀରଙ୍କ ରବିବାର ମୃତ୍ୟୁ ଘଟିଥିବା ସେନାର ଲେହ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଗଓ୍ବାତେ ଅକ୍ଷୟ ଲକ୍ଷ୍ମଣ ନାମକ ଏହି ଅଗ୍ନିବୀରଙ୍କ ମୃତ୍ୟୁରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ଘର ମହାରାଷ୍ଟ୍ରରେ । ସେହିପରି ଭାରତର ପ୍ରଥମ ଅଗ୍ନିବୀର ପଞ୍ଜାବ ମନ୍‌ସା ଅଞ୍ଚଳର ଅମ୍ରିତ୍‌ପାଲ ସିଂଙ୍କ ଗତ ୧୧ ତାରିଖରେ କର୍ତ୍ତବ୍ୟରତ ଥାଇ ନିଜ ବନ୍ଧୁକ ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା।

Share