Categories: ଜାତୀୟ

ପରିବାରର ୪ ଜଣଙ୍କୁ ଟାଙ୍ଗିଆରେ ହାଣିଦେଲେ

ଲକ୍ଷ୍ନୌ,୨୬।୧୧: ୧୬ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ସମେତ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ। ଗୁରୁବାର ସକାଳେ ଖବର ପାଇ ସେମାନଙ୍କ ଘରୁ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ନାବାଳିକା ଝିଅଙ୍କୁ ହତ୍ୟା ପୂର୍ବରୁ ଗଣବଳାତ୍କାର କରାଯାଇଥିବା ପରିବାରର ସମ୍ପର୍କୀୟମାନେ ଦାବି କରିବା ସହ ଅପରାଧ ପାଇଁ ସେମାନେ ପଡ଼ୋଶୀ ପରିବାରକୁ ଦାୟୀ କରିଛନ୍ତି।

ପୋଲିସ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ଓ ହତ୍ୟା ମାମଲା ରୁଜୁ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ଲୋକଙ୍କୁ ଥାନାରେ ଅଟକ ରଖାଯାଇଛି। ସେମାନଙ୍କ ମୁଣ୍ଡକୁ ଟାଙ୍ଗିଆ ଭଳି ଧାରୁଆ ଅସ୍ତ୍ରରେ ଆଘାତ ଦେଇ ହତ୍ୟା କରାଯାଇଛି। ନାବାଳିକାଙ୍କ ଶବ ଘର ଭିତରୁ ମିଳିଥିବା ବେଳେ ଅଗଣାରୁ ପରିବାରର ଅନ୍ୟ ୩ ସଦସ୍ୟଙ୍କ ମୃତଦେହ ମିଳିଥିବା ପ୍ରୟାଗରାଜ ପୋଲିସ ମୁଖ୍ୟ କହିଛନ୍ତି।

ମୃତକମାନଙ୍କ ଜଣେ ସମ୍ପର୍କୀୟ ଗଣମାଧ୍ୟମରେ କହିଛନ୍ତି, ଉପର ଜାତିର ପଡ଼ୋଶୀଙ୍କ ସହ ଜମି ବିବାଦ ଥିଲା। ଏହାର ଆପୋଷ ସମାଧାନ କରିବାକୁ ସୁଶୀଲ କୁମାର ନାମକ ଜଣେ ପୋଲିସ କନଷ୍ଟେବଳ ଆମ ଉପରେ ଚାପ ପକାଉଥିଲେ। ଅଭିଯୁକ୍ତଙ୍କ ଘରେ ପୋଲିସ ଅଧିକାରୀ ବସାଉଠା କରନ୍ତି। ସ୍ଥାନୀୟ ଇନସ୍ପେକ୍ଟର ମଧ୍ୟ ଆପୋଷ ବୁଝାମଣା କରିବାକୁ କହୁଥିଲେ। ସେପ୍ଟେମ୍ବର ୨୧ ତାରିଖରେ ପରିବାର ସଦସ୍ୟଙ୍କୁ ମାଡ଼ ମରାଯାଇଥିଲା। କିନ୍ତୁ ୭ ଦିନ ପର୍ଯ୍ୟନ୍ତ ପୋଲିସ ଏଫ୍‌ଆଇଆର ରଖି ନ ଥିଲା।

Share