ରାଶନ କାର୍ଡରୁ ବଞ୍ଚିତ ଶବର ପରିବାର

ମହାକାଳପଡ଼ା,୧୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁର ଗରିବ, ଖଟିଖିଆ, ଜନଜାତିମାନଙ୍କୁ ମାଗଣାରେ ରାଶନ ସାମଗ୍ରୀ ଚାଉଳ, ଗହମ, କିରୋସିନ ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛଲା ପଞ୍ଚାୟତ ଲୁଣିମାଠିଆ ଆଦିବାସୀ ଶବରପଡ଼ାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବର ପରିବାର ରାଶନ କାର୍ଡରୁ ବଞ୍ଚିତ ହୋଇଛନ୍ତି। ନାବାଳକ ଦୁଇ ପୁଅ ଠିକାଦାର ଅଧୀନରେ ମଜୁରି ଲାଗି ପରିବାର ପୋଷୁଛନ୍ତି। ବାପା ନିକଟ ନଦୀରୁ ମାଛ, କଙ୍କଡ଼ା ଧରି ଯାହା ଦୁଇ ପଇସା ପାଆନ୍ତି ପରିବାର ଚଳିଯାଏ। ମୁଣ୍ଡ ଗୁଞ୍ଜିବାକୁ ଥିବା ଚାଳ ଘରେ ୫ ପ୍ରାଣୀ କୁଟୁମ୍ବ ଆଶ୍ରୟ ନେଇଛନ୍ତି। ଶବରପଡ଼ାର ୫୦ ପରିବାର ଜଙ୍ଗଲ ଜମିରେ ଚାଳ ଘରେ ରହି ଆସିଛନ୍ତି। ନା ଅଛି ଜମି ନା ଅଛି ଶିକ୍ଷା। ଅଧିକାଂଶ ପରିବାରର ନାବାଳକ ପୁଅ ମଜୁରି ଖଟିବା ପାଇଁ ବାହାରକୁ ଯାଇଛନ୍ତି। ସରକାରୀ ଯୋଜନାରୁ ଏହି ଶ୍ରେଣୀର ଲୋକମାନେ ବଞ୍ଚିତ ହୋଇଛନ୍ତି।
ଶବରପଡ଼ାର ରତ୍ନାକର ଆହାଡ଼ି (୪୦), ସ୍ତ୍ରୀ କୁନି (୩୮)ଙ୍କ ବଡ଼ ପୁଅ ମୁନା (୧୭) ଠିକାଦାର ପାଖରେ ରହି ମଜୁରି ଲାଗନ୍ତି। ସେହିପରି ସାନ ପୁଅ ଅମିର ଆହାଡି (୧୩) ଭୁବନେଶ୍ୱରରେ ଏକ ଲୁଗା ଦୋକାନରେ କାମ କରନ୍ତି। ସାନ ଝିଅ ଘରେ ରହିଛନ୍ତି। ଏହି ପରିବାର ଲୋକମାନେ ସରକାରୀ ଯୋଜନା ରାଶନ କାର୍ଡ ପାଇବାରୁ ବଞ୍ଚିତ। ବ୍ଲକଠାରୁ ଜିଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଧିକାରୀଙ୍କୁ ନେହୁରା ହୋଇଥିଲେ ମଧ୍ୟ ରାଶନ କାର୍ଡ ମିଳୁ ନ ଥିବା ରତ୍ନାକର କହିଛନ୍ତି। ୨ ପୁଅ ମଜୁରି ଲାଗି କେତେଦିନ ଆମକୁ ଚଳାଇବେ ବୋଲି ମା’ବାପା କହିଛନ୍ତି। ପରିବାରକୁ ବିଦ୍ୟୁତ୍‌ ଯୋଗାଣ ନ ଥିବାରୁ ସା ହେଲେ ମିଟିମିଟି ଅନ୍ଧାରରେ କାମ ଚଳିଯାଏ ତ କେତେବେଳେ ମହମବତିଟିଏ ଆଲୁଅ ଦିଏ ବୋଲି କହିଛନ୍ତି। ଏହି ପରିବାରକୁ ପ୍ରଶାସନ ପକ୍ଷରୁ ରାଶନ କାର୍ଡ ଯୋଗାଇ ଦେବାକୁ ସାମାଜିକ କର୍ମୀ ଅନାମ ନାୟକ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ସ୍ବରୂପ କୁମାର ଦାସଙ୍କୁ ପଚାରିବାରରେ ବ୍ଲକରେ ୪୮ ହଜାର ରାଶନ କାର୍ଡ ଅଛି, ଏଥିରେ ୧ଲକ୍ଷ୭୨ହଜାର ଲୋକ ଉପକୃତ ହେଉଛନ୍ତି। ତେବେ ରାଶନକାର୍ଡରୁ ବଞ୍ଚିତ ରତ୍ନାକର ଆହାଡ଼ି ଅନ୍‌ଲାଇନରେ ଆବଶ୍ୟକ କାଗଜପତ୍ର ସହ ଆବେଦନ କରନ୍ତିୁ। ଫୋଟାଲ ଖୋଲିଲା ପରେ ଏହି ପରିବାରକୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି।

Share