ଘର ଘର ବୁଲି କରୋନା ମୃତକଙ୍କ ପରିବାରକୁ ଚିହ୍ନଟ କରିବେ ୧୦୦ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। କାର୍ଯ୍ୟ ବ୍ୟବସ୍ଥା ସହଜ କରିବା ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ ପକ୍ଷରୁ ୧୦୦ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।

ଅଧିକାରୀମାନେ ଘର ଘର ବୁଲି ମୃତକଙ୍କ ପରିବାରକୁ ଚିହ୍ନଟ କରିବେ। ପରେ ସେମାନେ ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ଆସନ୍ତା ସାତ ଦିନ ମଧ୍ୟରେ ଏହାକୁ ସରକାରଙ୍କ ନିକଟରେ ଦାଖଲ କରିବେ। ଏହା ବ୍ୟତୀତ ଏହି ଅଧିକାରୀମାନଙ୍କୁ ପ୍ରତିଦିନ ସମ୍ପୃକ୍ତ ଜିଲା କମିଶନରଙ୍କୁ ସୂଚନା ପ୍ରଦାନ କରିବାକୁ କୁହାଯାଇଛି।

ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାଜଧାନୀରେ କରୋନା ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୨୫ ହଜାର ଲୋକଙ୍କ ମୃତ୍ୟୁ ଘଟିଛି, ମାତ୍ର ଜିଲା ପ୍ରଶାସନ ପକ୍ଷରୁ କେବଳ ଆଠ ହଜାର ଆବେଦନ ଗ୍ରହଣ କରାଯାଇଛି। ଚଳିତ ବର୍ଷ ଜୁନ ମାସରେ ଦିଲ୍ଲୀ ସରକାର କରୋନା ସଂକ୍ରମଣ ଯୋଗୁ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ପରିବାର ଆର୍ଥିକ ସହାୟତା ଯୋଜନା ଆରମ୍ଭ କରାଯାଇଛି।

ଏହି ଯୋଜନାରେ ଦିଲ୍ଲୀ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ ୫୦,୦୦୦ ଟଙ୍କା ଏବଂ ଅନାଥ ପିଲାମାନଙ୍କ ପାଇଁ ମାସିକ ୨,୫୦୦ ଟଙ୍କା ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି।

Share