ପେନସନଧାରୀଙ୍କ ମୃତ୍ୟୁ ହୋଇଗଲେ ପରିବାର ସଦସ୍ୟଙ୍କୁ କେତେ ପ୍ରତିଶତ ମିଳିବ ପେନସନ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୮: ଅଗଷ୍ଟ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓପିଏସ ଏବଂ ଏନପିଏସ୍‌ ହଟାଯାଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ ପେନସନ ଯୋଜନା ଅନୁମୋଦନ କରାଯାଇଥିଲା। ୟୁପିଏସ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଅତିକମ୍‌ରେ ୨୫ ବର୍ଷ ଧରି ଚାକିରି ଅବଧି ପୂରଣ କରିବା ପରେ ନିଶ୍ଚିତ ପେନସନ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଅବସର ପୂର୍ବରୁ ୧୨ମାସ ସେବାକାଳ ସମୟରେ ପ୍ରାପ୍ତ ମୌଳିକ ବେତନର ହାରାହାରି ମୌଳିକ ବେତନର ୫୦ ପ୍ରତିଶତ+ ମହଙ୍ଗାରୁ ମୁକ୍ତକୁ ମିଶାଇ କର୍ମଚାରୀଙ୍କୁ ପେନସନ ପ୍ରଦାନ କରାଯିବ। ୟୁନିଫାଏଡ ପେନସନ ସ୍କିମ ଅନୁଯାୟୀ, ପେନସନଧାରୀଙ୍କ ପରିବାରକୁ ନିଶ୍ଚିତ ପରିବାର ପେନସନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି।

ୟୁନିଫାଏଡ ପେନସନ ସ୍କିମ ଅନୁଯାୟୀ, ଯଦି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଉଛି, ତେବେ ତାଙ୍କ ପରିବାରକୁ ପେନସନଧାରୀଙ୍କୁ ମିଳୁଥିବା ପେନସନର ୬୦ ପ୍ରତିଶତ ପରିବାର ପେନସନ ଭାବରେ ପ୍ରଦାନ କରାଯିବ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି ସୂଚନା ପ୍ରସାରଣ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, କର୍ମଚାରୀଙ୍କ ମୃତ୍ୟୁ ହୋଇଗଲେ ପରିବାର ପେନସନ ପାଇଁ କର୍ମଚାରୀଙ୍କ ବଡ଼ ଦାବି ରହିଥିଲା। ତେଣୁ ୟୁନିଫାଏଡ ପେନସନ ଯୋଜନାରେ ପରିବାର ପେନସନ ପାଇଁ ଏକ ବ୍ୟବସ୍ଥା ଅଛି। ସେ କହିଥିଲେ, ମୃତ୍ୟୁ ପୂର୍ବରୁ କୌଣସି କର୍ମଚାରୀଙ୍କୁ ଦିଆଯାଉଥିବା ପେନସନର ୬୦ପ୍ରତିଶତ ପରିବାରକୁ ପରିବାର ପେନସନ ଭାବରେ ଦିଆଯିବ। କିନ୍ତୁ ପ୍ରଶ୍ନ ଉଠୁଛି କେତେ ପେନସନ ମିଳିବ?

ଧରାଯାଉ ଜଣେ କେନ୍ଦ୍ରୀୟ କର୍ମଚାରୀ ଅବସର ପରେ ୪୦,୦୦୦ ଟଙ୍କା ପେନସନ ମିଳୁଥିଲା। ଯଦି ପେନସନଧାରୀଙ୍କ ମୃତ୍ୟୁ ହୋଇଯାଇଛି, ତେବେ ୟୁନିଫାଏଡ ପେନସନ ସ୍କିମ ଅନୁଯାୟୀ, ୪୦,୦୦୦ଟଙ୍କାର ୬୦ ପ୍ରତିଶତ ଅର୍ଥାତ୍‌ ମାସିକ ୨୪,୦୦୦ ଟଙ୍କା ପରିବାରକୁ ଦିଆଯିବ। ସେହିପରି ୬୦,୦୦୦ ଟଙ୍କା ପେନସନ ପାଉଥିବା କର୍ମଚାରୀଙ୍କର ମୃତ୍ୟୁ ହୋଇଗଲେ ପେନସନଧାରୀଙ୍କ ପରିବାରକୁ ୬୦ ପ୍ରତିଶତ ଅର୍ଥାତ୍‌ ପ୍ରତି ମାସରେ ୩୬,୦୦୦ଟଙ୍କା ମିଳିବ। ଯଦି ଜଣେ କର୍ମଚାରୀ ୧ ଲକ୍ଷ ଟଙ୍କା ପେନସନ ପାଉଥାନ୍ତି, ଆଉ ତାଙ୍କର ମୃତ୍ୟୁ ହୋଇଯାଏ, ତାଙ୍କ ପରିବାରକୁ ୬୦,୦୦୦ ଟଙ୍କା ଦିଆଯିବ।

Share