ଏହି ପତ୍ରକୁ ମେଥି ଶାଗ ଭାବି ଖାଇବା ପରେ ବେହୋସ୍‌ ପରିବାର ଲୋକେ

କନୌଜ,୩୦।୬: ପରିବାର ଲୋକ ହୁଅନ୍ତୁ କି ସାଙ୍ଗ କିମ୍ବା ସର୍ମ୍ପକୀୟଙ୍କ ସହ ବେଳେବେଳେ ଆମେ ମଜାକରେ କିଛି ଏଭଳି କରିଥାଉ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୁଃଖ ଦେବା ସହିତ ତାଙ୍କୁ କ୍ଷତି ପହଞ୍ଚାଇଥାଏ। ଆଉ ଯେତେବେଳେ ଏହି କାର୍ଯ୍ୟକୁ ନେଇ ଆମେ ଅବଶୋଷ କରିଥାଉ ସେତେବେଳେ ଆଉ କିଛି ନ ଥାଏ। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କନୌଜରେ। ଉକ୍ତ ସହରରେ ଜଣେ ପରିବାର ଗଞ୍ଜେଇକୁ ମେଥି ଶାଗ ଭାବି ଖାଇବା ପରେ ପରିବାରର ସମସ୍ତ ସଦସ୍ୟ ଅଚେତ ହୋଇପଡ଼ିଛନ୍ତି। ଏହାପରେ ସେମାନଙ୍କୁ ଅଚେତ୍‌ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସହରର ମିୟାଗଞ୍ଜ ଗାଁରେ ରହୁଥିବା ନବଲ କିଶୋର ନାମକ ଜଣେ ବ୍ୟକ୍ତି ସେହି ଗାଁର ଓମ୍‌ପ୍ରକାଶଙ୍କ ପୁଅ ନିତେଶଙ୍କୁ ମଜାକରେ ଗଞ୍ଜେଇକୁ ଶୁଖା ମେଥି ଶାଗ କହି ଦେଇଥିଲେ। ନିତେଶ ଉକ୍ତ ଗଞ୍ଜେଇକୁ ନେଇ ତାଙ୍କ ଭାଉଜଙ୍କୁ ଦେଇଥିଲେ। ସେ ମଧ୍ୟ ଏହାକୁ ଶୁଖିଲା ମେଥି ଭାବି ରୋଷେଇ କରିଦେଇଥିଲେ। କିଛି ସମୟ ପରେ ଘରର ସଦସ୍ୟ ଏହାକୁ ଖାଇବା ପରେ ଅଚାନକ ବେହୋସ୍‌ ହୋଇଯାଇଥିଲେ। ସେମାନଙ୍କ ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ି ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର କରି ଜିଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହାସହ ରନ୍ଧା ଓ ଶୁଖିଲା ଗଞ୍ଜେଇକୁ ଜବତ କରି ନବଲ କିଶୋରଙ୍କୁ ପୋଲିସ ଗିରଫ କରିଛି।

Share