Advertisement

କ୍ଷତିପୂରଣ ଦାବିରେ ରାସ୍ତାକାମ ବନ୍ଦ କଲା ପରିବାର, ଫେରିଗଲେ ପ୍ରଶାସନିକ ଅଧିକାରୀ

କୋକସରା,୨୨ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବୋବରିଆ ଛକରୁ ଡେଙ୍ଗାଗୁଡା ମହିମା ପର୍ଯ୍ୟନ୍ତ ୬.୧୭୦ କିମି ରାସ୍ତା ପାଇଁ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଠିକାସଂସ୍ଥା କାର୍ଯ୍ୟାଦେଶ ପାଇ କାର୍ଯ୍ୟ ସମ୍ପାଦନ କରିଥିଲେ। ତେବେ ବୋବରିଆରୁ ଡେଙ୍ଗାଗୁଡା ଗାଁ ମଝିରେ ଥିବା ପାଖାପାଖି ୩୦୦ ମିଟର ରାସ୍ତାକୁ ସ୍ଥାନୀୟ ବୋବରିଆ ଗ୍ରାମର ସ୍ବର୍ଗତ ରାମନାଥ ଦଳପତିଙ୍କ ପୁଅମାନେ ନିଜର ମାଲିକାନା ଥିବା ଦର୍ଶାଇ ରାସ୍ତା ନିର୍ମାଣ ସମୟରୁ କ୍ଷତିପୂରଣ ଦାବି କରି ବନ୍ଦ କରି ରଖିଛନ୍ତି। ଏହାକୁ ନେଇ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋକସରା ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ସହ ରାସ୍ତା ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିବାକୁ ବିଭାଗୀୟ ଚିଠି ଲେଖାଯାଇଥିଲା। ଘଟଣାର ତଦନ୍ତ କରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଧର୍ମଗଡ଼ ଉପ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ତହସିଲଦାରଙ୍କ ରିପୋର୍ଟକୁ ଆଧାର କରି ଉପଜିଲାପାଳ ଦୀର୍ଘ ୫୦ ବର୍ଷରୁ ଊଦ୍ଧର୍‌ବ ସମୟ ହେବ ଏହି ରାସ୍ତା ସର୍ବସାଧାରଣଙ୍କ ଯାତାୟାତ ପାଇଁ ରହିଛି। ଏଣୁ ସର୍ବସାଧାରଣ ରାସ୍ତା ନିର୍ମାଣରେ କୌଣସି ବ୍ୟକ୍ତି ଅବରୋଧ କରିପାରିବେ ନାହଁ ଓ ଯଦି କରନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାସହ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ଠିକାସଂସ୍ଥା ପକ୍ଷରୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଆମପାଣି ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଓ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ସୁରେଶ ବରିହା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଆସିଥିବା ବେଳେ ଜମି ମାଲିକାନା ଦର୍ଶାଇ ପରିବାର ଲୋକେ ବିରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ଲିଖିତ ଭାବେ କ୍ଷତିପୂରଣ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ଦେବୁ ନାହିଁ ବୋଲି କହି ଭାରିଯାନ ଆଗରେ ମାଲିକାନା ଦାବି କରୁଥିବା ପିତାମ୍ବର ଦଳପତି, ହିମାଦ୍ରୀ ଦଳପତି, ଯୋଗିନ୍ଦ୍ର ଦଳପତି ଓ ତାଙ୍କ ପରିବାର ସଦସ୍ୟ ବସି ପଡ଼ିଥିଲେ। ଉପସ୍ଥିତ ଅଧିକାରୀମାନେ ପରିବାର ଲୋକଙ୍କୁ ବୁଝାଇବା ସତ୍ତ୍ୱେ ସେମାନେ ନିଜ ଜିଦରେ ଅଡ଼ି ବସିଥିବାରୁ ଶେଷରେ ରାସ୍ତା କାର୍ଯ୍ୟ ଅଧାରେ ଛାଡି ପ୍ରଶାସନିକ ଅଧିକାରୀ ଓ ପୋଲିସ ଟିମ ଫେରି ଯାଇଥିଲେ। ଏ ନେଇ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କ ପ୍ରତିକ୍ରିୟା ନେବାରୁ ମାଲିକାନା ଥିବା ବ୍ୟକ୍ତିଙ୍କ ସହ ଆଲୋଚନା ଜାରି ରହିଛି, ଶୀଘ୍ର ରାସ୍ତା ନିର୍ମାଣ ପାଇଁ ସମସ୍ୟା ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel