Categories: ଜାତୀୟ

ଜିଲା ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା କଲେ ପରିବାର ଲୋକେ

ନଏଡା,୬।୮: କରୋନା କାଳରେ ଯେଉଁଠି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କୋଭିଡ ଯୋଦ୍ଧା ସାଜି ଦିନରାତି ଲୋକଙ୍କ ସେବା କରୁଛନ୍ତି ସେଇଠି ପୁଣି ସେମାନଙ୍କୁ ଲୋକଙ୍କ ଆକ୍ରୋଶର ଶୀକାର ମଧ୍ୟ ହେବାକୁ ପଡ଼ୁଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ନଏଡା ଜିଲାରେ। ନଏଡା ସେକ୍ଟର-୭୧ରେ ରହୁଥିବା ୪୫ ବର୍ଷୀୟ କୁଶନପାଲଙ୍କ ଜିଲା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ପରିବାର ଲୋକଙ୍କୁ ବିଳମ୍ବରେ ମୃତଦେହ ହସ୍ତାନ୍ତର କରାଯାଇଥିବାରୁ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ପରିବାର ଲୋକେ ଏମାରଜେନ୍ସି ଓ୍ବାର୍ଡରେ ଧସେଇ ପଶି ମହିଳା ଡାକ୍ତରଙ୍କୁ ମାଡ଼ ମାରିବା ସହ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ। ଏଥିସହ ସରକାରୀ ରେକର୍ଡ ମଧ୍ୟ ଚିରି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା। ଅନ୍ୟପଟେ ଏହି ଘଟଣାକୁ ନେଇ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି, ୧୦ ମିନିଟ୍‌ରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେବାରୁ ଏହାର କାରଣ ଜାଣିବା ପାଇଁ ପିଆଇ ପୋଲିସ ଷ୍ଟେଶନକୁ ପଠାଯାଇଥିଲା। ତେବେ ପୋଲିସର ବିଳମ୍ବ ଯୋଗୁ ପରିବାର ଲୋକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ବୋଲି କତ୍ତୃପକ୍ଷ କହିଛନ୍ତି। କାରଣ ହସ୍ପିଟାଲରୁ ପିଆଇ ପଠାଯିବା ପରେ ମୃତଦେହ ହସ୍ତାନ୍ତର କରିବା ପୋଲିସର ଦାୟିତ୍ୱ।

Share