ପାଠପଢ଼ା ବୟସରେ ପରିବାର ଚିନ୍ତା

ସିମୁଳିଆ, ୩।୪(ଡି.ଏନ.ଏ.)-ଯେଉଁ ବୟସରେ ପାଠ ପଢାପଢି ସହ ସାଙ୍ଗସାଥୀମାନଙ୍କ ସହ ଦିନ କାଟିବା କଥା, ତାହା ବଦଳରେ ଘାରିଛି ପରିବାର ବୋଝ। ତଥାପି ଭାଙ୍ଗି ନ ପଡି ଭବିଷ୍ୟତରେ ନିଜେ କିଛି କରିବା ସହ ଭଉଣୀଭାଇଙ୍କ ମଣିଷ କରିବାକୁ ଦୃଢ ନିଷ୍ପତ୍ତି ନେଇଛନ୍ତି ସ୍ବର୍ଣ୍ଣଲତା ଯେନା। ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତର ମାର୍କୋଣା ଅଞ୍ଚଳରେ ା ଯୁକ୍ତ ୩ରେ ପଢୁଥିବା ସ୍ବର୍ଣ୍ଣଲତା ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସ୍ବର୍ଣ୍ଣଲତାଙ୍କ ବାପା ଘନଶ୍ୟାମ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଗତ ଫେବୃୟାରୀରେ ମୃତ୍ୟୁବରଣ କରିବା ହେବା ପରେ ପରିବାରର ଗୁରୁ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ ରହିଛି ା ତାଙ୍କ ସାନ ଭଉଣୀ ଶକୁନ୍ତଳା ଏବେ ସ୍ଥାନୀୟ ହାଇସ୍କୁଲରେ ନବମ ଶ୍ରେଶୀରେ ଓ ତାଙ୍କ ସାନ ଭାଇ ସର୍ବେଶ୍ୱର ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ା
ଘନଶ୍ୟାମ ଚେନ୍ନାଇରେ ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ। ଶରୀର ଅସୁସ୍ଥ ହେବା ପରେ ସେ ଅକ୍ଟୋବରରେ ଘରକୁ ଫେରିଆସିଥିଲେ। ପରେ ତାଙ୍କୁ ଯକ୍ଷ୍ମା ହୋଇଥିବା ଜଣାପଡିଥିଲା ା ରୋଜଗାରିଆ ସ୍ବାମୀଙ୍କୁ ହରାଇବା ପରେ ସ୍ବର୍ଣ୍ଣଲତାଙ୍କ ମା’ ଜୟନ୍ତୀ କେମିତି ଘର ଚଳାଇବେ ସେହି ଚିନ୍ତାରେ ବ୍ୟସ୍ତବିବ୍ରତ ହୋଇପଡିଥିଲେ। ସ୍ବର୍ଣ୍ଣଲତା ନିଜ ମା’ଙ୍କୁ ସାହସ ଦେବା ସହିତ ନିଜ ପାଠପଢ଼ା, ଭଉଣୀ ଓ ଭାଇଙ୍କ ପାଠପଢ଼ା ପାଇଁ ସେ ଟ୍ୟୁଶନ ଆରମ୍ଭ କରିଛନ୍ତି ା ଏଥିରୁ ତାଙ୍କର ମାସିକ ୮ଶହ ଟଙ୍କା ରୋଜଗାର ହେଉଛି। ତେବେ ସମସ୍ତ ଦାୟିତ୍ୱ ତୁଲାଇବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି ା ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଲେ ସେ ଉପକୃତ ହୋଇପାରନ୍ତେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ା