ଖ୍ୟାତନାମା ଚିତ୍ରକର କାର୍‌ମେନ୍‌ ହେରେରାଙ୍କ ପରଲୋକ

ନ୍ୟୁୟର୍କ,୧୬ା୨: କ୍ୟୁବା ଜନ୍ମିତ ଖ୍ୟାତନାମା ଆମେରିକୀୟ ଚିତ୍ରକର କାର୍‌ମେନ ହେରେରାଙ୍କର ଶନିବାର ତାଙ୍କ ନ୍ୟୁୟର୍କ ସିଟି ଆପାର୍ଟମେଣ୍ଟରେ ପରଲୋକ ହୋଇଯାଇଛି। ତାଙ୍କୁ ୧୦୬ ବର୍ଷ ହୋଇଥିଲା। ତାଙ୍କର କଳାକୃତି ଦୀର୍ଘଦିନ ଧରି ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିଲା। ୮୯ ବର୍ଷ ବୟସରେ ତାଙ୍କ କାନ୍‌ଭାସ ବିକ୍ରି ଆରମ୍ଭ ହେବା ପରେ ସେ ଅନ୍ତଜାର୍ତୀୟ ଖ୍ୟାତି ଅର୍ଜନ କରିଥିଲେ। କଳା ଜଗତ ନୂଆ ତଥା ଯୁବପିଢ଼ି ଚିତ୍ରକରଙ୍କୁ ଆଦର କରୁଥିବାବେଳେ ବୃଦ୍ଧାବସ୍ଥା ଯୋଗୁ ହେରେରାଙ୍କୁ ବ୍ୟବସାୟିକ ବଜାର ଅଣଦେଖା କରିଥିଲା। ତାଙ୍କର ଚିତ୍ରକଳାଗୁଡ଼ିକ ଜୀବନ୍ତ ଥିଲା ବୋଲି ଲିସନ ଗ୍ୟାଲେରି ସିଇଓ ଆଲେକ୍ସ ଲଗ୍ସଡେଲ୍‌ କହିଛନ୍ତି। ଆସନ୍ତା ମେ’ରେ ହେରେରାଙ୍କ ୧୦୭ତମ ଜନ୍ମଦିନରେ ଉକ୍ତ ଗ୍ୟାଲରି ନ୍ୟୁୟର୍କରେ ତାଙ୍କ ଚିତ୍ରକଳାର ଏକ ପ୍ରଦର୍ଶନୀ ଆୟୋଜନର ଯୋଜନା କରିଥିଲା। ୫୦ ଦଶକରୁ ହେରେରା ଚିତ୍ରାଙ୍କନ ଆରମ୍ଭ କରିଥିଲେ। ତାଙ୍କ ଚିତ୍ରଗୁଡ଼ିକ ସ୍ବତନ୍ତ୍ର ଓ ବାସ୍ତବ ସୁନ୍ଦର ବୋଲି କୁହାଯାଏ।

Share