ସୁଦର୍ଶନଙ୍କ ବାଲୁକାକଳା ଦେଖି ବିମୋହିତ ହେଲେ ପ୍ରଖ୍ୟାତ ଗାୟକ ଜୁବିନ୍‌ ନୌଟିଆଲ

ପୁରୀ ଅଫିସ,୯।୨: ପୁରୀ ବେଳାଭୂମିରେ ‘ତମେ ଚାହିଁଲ ବୋଲି ଚକା ଆଖି’ ବାଲୁକା କଳାକୃତି ଦେଖି ଅଭିଭୂତ ହୋଇଛନ୍ତି ବଲିଉଡର ପ୍ରଖ୍ୟାତ ଗାୟକ ଜୁବିନ୍‌ ନୌଟିଆଲ । ଓଲିଉଡ଼ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ସଂଗୀତକୁ ଗାଇଥିଲେ ଜୁବିନ୍‌ । ଶୁକ୍ରବାର ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ  ଦ୍ୱାରା ପ୍ରସ୍ତୁତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାଲୁକା କଳାକୃତି  ଦେଖି ବିଭୋର ହୋଇଛନ୍ତି ସେ ।  ପୁରୀରେ ଜଗନ୍ନାଥମୟ ପରିବେଶ ସହ ମହାପ୍ରଭୁଙ୍କ ଦର୍ଶନ କରି ବେଶ ଖୁସି ଲାଗିଲା । ବେଳାଭୂମିରେ ବେଶ୍‌ ନିଷ୍ଠାର ସହ ବାଲୁକା କଳାକୁ ପ୍ରସ୍ତୁତ କରାଯାଇଛି ବୋଲି ଜୁବିନ୍‌ କହିଛନ୍ତି।
ଜୁବିନ୍‌ ପରିକ୍ରମା ପ୍ରକଳ୍ପ ଲାଗି ପ୍ରସ୍ତୁତ କରାଯାଇଥିବା ଓଡିଆ ଭକ୍ତି ସଂଗୀତ ‘ତମେ ଚାହିଁଲ ବୋଲି ଚକା ଆଖି’ ଗାଇଛନ୍ତି। ଆଜି ସେ ପୁରୀ ଆସି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବେଳାଭୂମିରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା ଦେଖିଛନ୍ତି। ଏହି ବାଲୁକା କଳାରେ  ମହାପ୍ରଭୁଙ୍କ କଳା କୃତି ସହ ପରିକ୍ରମା ପ୍ରକଳ୍ପ ଲାଗି ପ୍ରସ୍ତୁତ କରାଯାଇଥିବା ଭକ୍ତି ସଂଗୀତ କିଛି ଅଂଶ ଲେଖାଯାଇଛି । ତେବେ ପର୍ଯ୍ୟଟକ ମାନେ ମଧ୍ୟ ବେଳାଭୂମିରେ ବାଲୁକା କଳା ଦେଖିବା ସହ ବଲିଉଡ ସିଙ୍ଗର ଜୁବିନ ନୌଟିଆଲଙ୍କୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଜୁବିନ୍‌ ମଧ୍ୟ ଗୀତକୁ ଗାଇ ଶୁଣାଇଛନ୍ତି।
Share