ରଜନୀକାନ୍ତଙ୍କୁ ପୂଜା କଲେଣି ଲୋକେ

ଚେନ୍ନାଇ: ଦେଶ ବିଦେଶରେ ସୁପରଷ୍ଟାର ରଜନୀକାନ୍ତଙ୍କ ଅଗଣିତ ପ୍ରଶଂସକ ଅଛନ୍ତି। ଗତ ଅଗଷ୍ଟରେ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ମୁକ୍ତିଲାଭ କରିବା ପୂର୍ବରୁ ଫିଲ୍ମର ସଫଳତା ପାଇଁ ବହୁ ସଂଖ୍ୟକ ପ୍ରଶଂସକ ମନ୍ଦିରରେ ଏକତ୍ର ପ୍ରାର୍ଥନା କରିଥିଲେ। ଏଥିରୁ ରଜନୀକାନ୍ତଙ୍କ ପାଇଁ ପ୍ରଶଂସକଙ୍କ ଭଲପାଇବା ସ୍ପଷ୍ଟ ବାରିହୁଏ। ଏବେ ପ୍ରଶଂସକଙ୍କ ଭଲପାଇବା ଆଉ ପାଦେ ଆଗେଇଛି। କିଛି ପ୍ରଶଂସକ ମିଳିତ ଭାବେ ତାମିଲନାଡୁର ମଦୁରାଇଠାରେ ରଜନୀକାନ୍ତଙ୍କ ଏକ ମନ୍ଦିର ତିଆରି କରିଛନ୍ତି। ଏଥିପାଇଁ ଜଣେ ପ୍ରଶଂସକ ତାଙ୍କ ଘର ଅଗଣାକୁ ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ ଲାଗି ଉତ୍ସର୍ଗ କରିଛନ୍ତି। ମନ୍ଦିରରେ ରଜନୀକାନ୍ତଙ୍କ ୨୫୦ କିଲୋ ଓଜନର ମୂର୍ତ୍ତି ସ୍ଥାନ ପାଇଛି। ଏନେଇ କିଛି ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ପ୍ରଶଂସକ ଅଭିନେତାଙ୍କୁ ମାଳ ପିନ୍ଧାଇବା ପରେ ତାଙ୍କର ଅଭିଷେକ କରୁଥିବା ନଜର ଆସିଛନ୍ତି। ତାଙ୍କ ପାଖରେ କିଛି ପ୍ରଶଂସକ ହାତଯୋଡି ଠିଆ ହୋଇଛନ୍ତି। ଜଣେ ପୂଜାରୀ ସେଠାରେ ଉପସ୍ଥିତ ରହି ରଜନୀକାନ୍ତଙ୍କ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି। ତେବେ ରଜନୀକାନ୍ତ ‘ଜେଲର’, ଶିବାଜୀ ଦି ବସ୍‌’ ଓ ‘ରା ୱାନ’ ଭଳି ଅନେକ ଫିଲ୍ମରେ ତାଙ୍କ ଉଲ୍ଲେଖନୀୟ ଅଭିନୟ ପାଇଁ ପରଦାରେ ଓ ପରଦା ପଛରେ ପ୍ରଶଂସିତ ହୋଇଛନ୍ତିି। ଆଗକୁ ରଜନୀକାନ୍ତ ଆଗାମୀ ଫିଲ୍ମ ‘ଥଲାଇଭାର୍‌ ୧୭୦’ରେ ନଜର ଆସିବେ। ଫିଲ୍ମରେ ଅମିତାଭ ବଚ୍ଚନ, ଫହାଦ ଫାସିଲ, ରାଣା ଦଗୁବତି, ମଞ୍ଜୁ ୱାରିଅର ପ୍ରମୁଖ ଅଭିନୟ କରିଛନ୍ତି। ଆସନ୍ତା ବର୍ଷ ପୋଙ୍ଗଲ ପର୍ବ ଅବସରରେ ସିନେମାଟି ମୁକ୍ତିଲାଭ କରିବ।

Share