ରଜନୀକାନ୍ତଙ୍କ ସହ ରୋମାନ୍ସକୁ ନେଇ ଐଶ୍ୱର୍ଯ୍ୟାଙ୍କ ଉଡ଼ିଥିଲା ମଜା

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ଆଜି ଅର୍ଥାତ୍‌ ଡିସେମ୍ବର ୧୨ରେ ତାଙ୍କର ୭୨ତମ ଜନ୍ମଦିବସ ପାଳନ କରୁଛନ୍ତି। ତାଙ୍କର ଆକ୍ସନ, ରୋମାନ୍ସ ସବୁକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଏହି ଖାସ୍‌ ଦିନରେ ବିଭିନ୍ନ ମହଲରୁ ରଜନୀକାନ୍ତଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଆଜିର ଏହି ଦିନରେ ତାଙ୍କ ସହ ଜଡ଼ିତ ଅନେକ କଥା ସୋସିଆଲ ମିଡିଆରେ ଶେୟାର ହେଉଥିବା ଦେଖିବାକୁ ମିଳିଛି। ଠିକ୍‌ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ସହ କାମ କରିବାକୁ ନେଇ ସେ ଥଟ୍ଟାର ପାତ୍ର ହୋଇଥିଲେ। ୨୦୧୦ରେ ରଜନୀକାନ୍ତଙ୍କର ଏକ ଫିଲ୍ମ ‘ରୋବଟ’ ଆସିଥିଲା। ଯେଉଁଥିରେ ତାଙ୍କ ବିପକ୍ଷରେ ଐଶ୍ୱର୍ଯ୍ୟା ଥିଲେ। ରଜନୀକାନ୍ତ ଫିଲ୍ମ ପ୍ରମୋଶନ ସମୟରେ ଐଶ୍ୱର୍ଯ୍ୟାଙ୍କୁ ଧନ୍ୟବାଦ ଜଣାଇବା ସହ ଏହାର କାରଣ ମଧ୍ୟ କହିଥିଲେ। ସେ ଏକ ଇଭେଣ୍ଟରେ କହିଥିଲେ, ଯେତେବେଳେ ସେ ଏହି ଫିଲ୍ମ ଆରମ୍ଭ କରୁଥିଲେ ସେତେବେଳେ ସେ ତାଙ୍କ ଭାଇଙ୍କ ଘରକୁ ଯାଇଥିଲେ। ଯେଉଁଠାରେ ଗୁଜୁରାଟୀ ପରିବାରର ଜଣେ ପଡ଼ୋଶୀ ରହୁଥିଲେ। ତେଣୁ ତାଙ୍କ ଆସିବା ଶୁଣି ପଡ଼ୋଶୀ ପ୍ରଶଂସକମାନେ ତାଙ୍କୁ ଭେଟିବାକୁ ଆସିଥିଲେ।

ପଡ଼ୋଶୀ ପଚାରିଥିଲେ, ବର୍ତ୍ତମାନ ତୁମର ବୟସ ୬୦ ଏବଂ ତୁମର କେଶ ବି ଝଡ଼ିଗଲାଣି। ତେବେ ତୁମେ ଏବେ ବି ଫିଲ୍ମରେ କାମ କରୁଛ? ରଜନୀକାନ୍ତ କହିଥିଲେ, ହଁ ମୁଁ ଏକ ଫିଲ୍ମ ‘ରୋବଟ’ କରୁଛି। ପଡ଼ୋଶୀ କୌତୂହଳ ସହକାରେ ପଚାରିଥିଲେ କିଏ ସେହି ଅଭିନେତ୍ରୀ। ପରେ ରଜନୀକାନ୍ତ ଐଶ୍ୱର୍ଯ୍ୟାଙ୍କ ନାଁ କହିଥିଲେ। ଏହା ପରେ ସେହି ପଡ଼ୋଶୀ ଦୁଇ ଘଣ୍ଟା ଯାଏ କିଛି ନ କହି ଚୁପ୍‌ ରହିଥିଲେ।

Share