Categories: ଖେଳ

କୋହଲିଙ୍କ ପାଇଁ ପାଗଳ ପ୍ରଶଂସକ; କଲେ ଏମିତି କାମ

ବେଙ୍ଗାଲୁରୁ,୧୪।୩: ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ୨ ମ୍ୟାଚ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଦୃଢ ସ୍ଥିତିରେ ଅଛି। ଭ୍ରମଣକାରୀ ଶ୍ରୀଲଙ୍କା ସମ୍ମୁଖରେ ଟିମ ଇଣ୍ଡିଆ ୪୪୭ ରନର ଏକ ବଡ଼ ଲକ୍ଷ୍ୟ ଦେଇଛି। ଦ୍ୱିତୀୟ ଦିନରେ ଅର୍ଥାତ୍‌ ରବିବାରର ଖେଳ ଶେଷ ହେବା ପର୍ଯ୍ୟନ୍ତ ଶ୍ରୀଲଙ୍କା ଟାର୍ଗେଟକୁ ପିଛା କରି ୨୮ ରନ କରି ଗୋଟିଏ ଉଇକେଟ ହରାଇଛି। ଜିତିବା ପାଇଁ ଶ୍ରୀଲକା ୪୧୯ ରନ ଆବଶ୍ୟକ କରୁଥିବାବେଳେ ସିରିଜରେ କ୍ଲିନ୍‌ସୁଇପ୍‌ ପାଇଁ ଟିମ ଇଣ୍ଡିଆ ୯ ଉଇକେଟ ଆବଶ୍ୟକ କରୁଛି। ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ୩ ଜଣ ପ୍ରଶଂସକ ସୁରକ୍ଷା ଉଲ୍ଲଂଘନ କରି ବିରାଟ କୋହଲିଙ୍କ ସହ ସେଲଫି ନେବାକୁ ପଡିଆରେ ପହଞ୍ଚିବା ପରେ ଏକ ଅଜବ ଘଟଣା ଘଟିଥିଲା। ଏବେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସର ଷଷ୍ଠ ଓଭରରେ ଏହି ଘଟଣା ଘଟିଥିଲା। ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ବଲ୍‌ରେ ଆଘାତ ପାଇବା ପରେ କୁସାଲ ମେଣ୍ଡିସଙ୍କ ପଡିଆରେ ଚିକିତ୍ସା କରାଯାଉଥିଲା। ଏହି ସମୟରେ ୩ ଜଣ ପ୍ରଶଂସକ ସେମାନଙ୍କ ଷ୍ଟାର ଖେଳାଳିଙ୍କୁ ଅତି ନିକଟରୁ ଦେଖିବା ପାଇଁ ପଡିଆରେ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବିରାଟଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲେ। ସେତେବେଳେ ବିରାଟ ସ୍ଲିପ୍‌ରେ ଫିଲ୍ଡିଂ କରୁଥିଲେ।
ପ୍ରଶଂସକ ତାଙ୍କ ମୋବାଇଲ ବାହାର କରି କୋହଲିଙ୍କ ସହ ସେଲଫି ନେବାକୁ କହିଥିଲେ। କୋହଲି ସେଲଫି ପାଇଁ ରାଜି ହୋଇ ପୋଜ୍‌ ଦେଇଥିଲେ। ମୋହାଲିରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ସମୟରେ ଜଣେ ପ୍ରଶଂସକ ମଧ୍ୟ ପଡ଼ିଆରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ। ମ୍ୟାଚ ପରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

Share