Advertisement

‘ତିତଲି’ଠାରୁ ଭୟଙ୍କର ହେବ ‘ଫନୀ’

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦।୪: ବାତ୍ୟା ‘ଫନୀ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏହା ଓଡ଼ିଶା ଉପକୂଳର ପୁରୀଠାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାର ଉପକୂଳ ଅଞ୍ଚଳ ଏଥିଯୋଗୁ ବିଶେଷ ପରିମାଣରେ କ୍ଷତିଗ୍ରସ୍ତ ହେବ ବୋଲି କହିଛି ପାଣିପାଗ ବିଭାଗ। ବେଳକୁ ବେଳେ ଏହା ଆହୁରି ଶକ୍ତିଶାଳୀ ହେଉଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ମେ’୨ରୁ ବର୍ଷା ଆରମ୍ଭ ହୋଇଯିବ। ସାଟେଲାଟ୍‌ ଚିତ୍ର ଓ ରାଡାର ସୂଚନା ମୁତାବକ ଏହା ଆସନ୍ତା ୪ ତାରିଖରେ ପୁରୀ-କେନ୍ଦ୍ରାପଡା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିିଛି। ଆଉ ଏହା ଲ୍ୟାଣ୍ଡଫଲ୍‌ କରିବା ପରେ ଆହୁରୀ ଉଗ୍ରରୂପ ନେବ ବୋଲି କୁହାଯାଉଛି। ଫଳରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାକୁ ୧୬୦-୧୭୦ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ମିଳିଛି। ମଝିରେ ମଝିରେ ଏହା ୧୯୦ କିଲୋମିଟର ପ୍ରତି ଘଣ୍ଟା ମଧ୍ୟ ହୋଇପାରେ। ଏହି ସମୟରେ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସଜୀବିଙ୍କୁ ସତର୍କ କରି ଦିଆଯାଇଛି। ଏହାର ପ୍ରଭାବରେ ଗୋପଳପୁର, ପୁରୀ, କୋଣାର୍କ, ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ଥିବା ଲୋକଙ୍କୁ ସତର୍କ କରି ଦିଆଯାଇଛି। ଏହାସହ ଏସବୁ ଜିଲାର ଜିଲାପାଳଙ୍କୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି। ଏଥିପାଇଁ ଓଡ୍ରାଫ୍‌ ଟିମ୍‌କୁ ଆଗୁଆ କ୍ଷତିଗ୍ରସ୍ତ ହେବାକୁ ଥିବା ଉପକୂଳ ଅଞ୍ଚକୁ ପଠାଇଦିଆଯିବ। ଏହାପରେ ବାତ୍ୟା ‘ଫନୀ’ମେ ୫କୁ ସମୁଦ୍ରକୁ ଫେରିଯିବା ବେଳେ ପୁଣିଥରେ ପଶ୍ଚିମବଙ୍ଗ ମୁହଁା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share