Categories: ଖେଳ

ଭାରତ-ପାକିସ୍ତାନ ମ୍ୟାଚ୍‌ ଲାଗି ଡାକ୍ତରଖାନାରେ ଶଯ୍ୟା ବୁକ୍‌ କରୁଛନ୍ତି ପ୍ରଶଂସକ, ହୋଟେଲରେ ସ୍ଥାନ ମିଳୁନି

ଅହମ୍ମଦାବାଦ,୨୧।୭: ଭାରତରେ ଖେଳାଯିବ ବିଶ୍ୱକପ୍‌ ୨୦୨୩। ଅକ୍ଟୋବର ୧୫ରେ ଟିମ୍‌ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଲାଗି ଏବେଠାରୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଲାଣି। ମ୍ୟାଚ୍‌କୁ ନେଇ ଅହମ୍ମଦାବାଦ ହୋଟେଲରେ କୌଣସି ସ୍ଥାନ ବାକି ନାହିଁ। ଏବେ ଏହାକୁ ନେଇ ମଜାଦାର ଖବର ସାମ୍ନାକୁ ଆସିଛି। ହୋଟେଲ ପରେ ଏବେ ପ୍ରଶଂସକମାନେ ଡାକ୍ତରଖାନାରେ ବେଡ୍‌ ବୁକିଂ କରୁଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।

ଅହମ୍ମଦାବାଦର ଏକ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର କହିଛନ୍ତି, ଲୋକମାନେ ସମ୍ପୂର୍ଣ୍ଣ ଶରୀର ଯାଞ୍ଚ ସହ ଗୋଟିଏ ରାତି ରହିବାକୁ ବେଡ୍‌ ବୁକ୍‌ କରୁଛନ୍ତି। ଯେକୌଣସି ପ୍ରକାରେ ଲୋକେ ହସ୍ପିଟାଲ ବେଡ୍‌ ନଚେତ ରୁମ୍‌ ବୁକ୍‌ କରିବାକୁ ପ୍ରସ୍ତୁତ ଅଛନ୍ତି। ହେଲେ ସୀମିତ ସ୍ଥାନ ଥିବାରୁ ରୋଗୀଙ୍କୁ ଧ୍ୟାନରେ ରଖି ସେମାନେ ବୁକିଂ ବିଷୟରେ ଚିନ୍ତା କରୁଛନ୍ତି।

ଉଲ୍ଲେଖନୀୟ ଯେ, ଅତୀତରେ ଏଭଳି ଅନେକ ଖବର ସାମ୍ନାକୁ ଆସିଛି। ହୋଟେଲରେ ଗୋଟିଏ ରାତି ରହିବା ପାଇଁ ୧୦ ଗୁଣରୁ ଅଧିକ ଭଡା ଆଦାୟ କରାଯାଉଛି। ଗୋଟିଏ ହୋଟେଲରେ ଗୋଟିଏ ରାତି ରହିବା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି। ତେବେ ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ। ଏଠାରେ ମୋଟ ୫ ମ୍ୟାଚ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ସହିତ ଫାଇନାଲ ମଧ୍ୟ ଖେଳାଯିବ। ଏଥର ବିଶ୍ୱକପ୍‌ ଅନ୍ତିମ ମ୍ୟାଚ ନଭେମ୍ବର ୧୯ରେ ଖେଳାଯିବ।

Share