Categories: ଖେଳ

ହୃଦୟ ଜିତିଲେ ରୋହିତ, ପ୍ରଶଂସକ କହିଲେ ‘ପ୍ଲେୟାର୍ସ କ୍ୟାପ୍‌ଟେନ୍‌’

ରାଜକୋଟ,୨୮।୯: ଭାରତ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ରାଜକୋଟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମୁକାବିଲାରେ ଅଷ୍ଟ୍ରେଲିଆ ୬୬ ରନ୍‌ରେ ବିଜେତା ହୋଇ ଟିମ୍‌ ଇଣ୍ଡିଆକୁ କ୍ଲିନ୍‌ ସୁଇପ୍‌ କରିବାରୁ ରୋକି ନେଇଥିଲା। ତେବେ ଏହି ମ୍ୟାଚ୍‌ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏଭଳି କିଛି ଆଚରଣ କରିଥିଲେ ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକମାନେ ତାଙ୍କ ପ୍ରଶଂସାରେ ଶତମୁଖ ହେଉଛନ୍ତି।

ମ୍ୟାଚ୍‌ ପରେ ସିରିଜର ଟ୍ରଫି ନେବାକୁ ଅଧିନାୟକ ରୋହିତଙ୍କୁ ଡକାଯାଇଥିଲା। ହେଲେ ସେ କେଏଲ୍‌ ରାହୁଲଙ୍କୁ ଟ୍ରଫି ନେବାକୁ ଡାକିଥିଲେ। କେଏଲ୍‌ ଟ୍ରଫି ଉଠାଇଥିବା ବେଳେ ରୋହିତ ସାଙ୍ଗରେ ରହିଥିଲେ। ରୋହିତଙ୍କ ଏହି ଆଚରଣ ଏବେ ପ୍ରଶଂସକଙ୍କ ହୃଦୟ ଜିତିଛି। ଲୋକେ ତାଙ୍କୁ ‘ପ୍ଲେୟାର୍ସ କ୍ୟାପ୍‌ଟେନ୍‌’ ବୋଲି କହୁଛନ୍ତି।

ପ୍ରକାଶ ଯେ, ଟିମ୍‌ ଇଣ୍ଡିଆ ପକ୍ଷରୁ ପ୍ରଥମ ୨ ମ୍ୟାଚ୍‌ ଲାଗି କେଏଲ୍‌ଙ୍କୁ ଅଧିନାୟକ କରାଯାଇଥିଲା। କାରଣ ରୋହିତ ଉପଲବ୍ଧ ନ ଥିଲେ। କେଏଲ୍‌ ନିଜର ଅଧିନାୟକତ୍ୱରେ ଦଳକୁ ସିରିଜ ବିଜେତା କରିବା ସହ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ସେ ୩ ମ୍ୟାଚ୍‌ରେ ୧୦୩.୮୨ ଷ୍ଟ୍ରାଇକ୍‌ ରେଟ୍‌ରେ ୧୩୬ ରନ୍‌ କରିଥିଲେ।

Share