କ୍ଷମା ମାଗି ଟ୍ରୋଲ ହେଲେ ଆମିର

ମୁମ୍ବାଇ: ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ୍ ହେବା ପୂର୍ବରୁ ଆମିର ଖାଁ ଲଗାତାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ କ୍ଷମା ମାଗିବା ପରେ ବି ବାରମ୍ବାର ଟ୍ରୋଲର ଶିକାର ହେଉଛନ୍ତି । ଲାଲ ସିଂ ଚଢା ଫ୍ଲପ ହେବା ପରେ ବି ଟ୍ରୋଲ ଜାରି ରହିଛି । କଥା ହେଲା ଏବେ ଆମିର ଯାହା ବି କରୁଛନ୍ତି ସବୁବେଳେ ଟ୍ରୋଲର ଶିକାର ହେଉଛନ୍ତି । ତାଜା ସୂଚନା ହେଉଛି ଏବେ ସେ ତାଙ୍କ ପ୍ରଡକସନ ହାଉସର ଟୁଇଟର ହ୍ୟାଣ୍ଡେଲରେ କ୍ଷମା ମାଗିବା ପରେ ଟ୍ରୋଲର ଶିକାର ହୋଇଛନ୍ତି । ଏବେ ଟ୍ରୋଲର୍ସ କହିଛନ୍ତି ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ନିଶ୍ଚୟ ।
ମିଳିଥିବା ସୂଚନା ଅନୁଯାୟୀ, ଆମିର ଖାଁଙ୍କ ପ୍ରଡକସନ ହାଉସ ଜୈନ ଦଶଲାକ୍ଷଣୀ ଆରମ୍ଭ ହେବା ଅବସରରେ ଟୁଇଟର ହ୍ୟାଣ୍ଡେଲରେ ଏକ କ୍ଲିପ ଶେୟାର କରିଥିଲା । ଏଥିରେ ମିଚ୍ଛାମି ଦୁକ୍କଡମ ଲେଖାଯାଇ, ଜଣା ଅଜଣାରେ ହୋଇଥିବା ଭୁଲକୁ ନେଇ କ୍ଷମା ମଗାଯାଇଥିଲା । ଏହାପରେ କେତେଜଣ ୟୁଜର୍ସ ଆମିର ଖାଁଙ୍କ ସମର୍ଥନରେ କମେଣ୍ଟ କରିଥିବା ବେଳେ ଆଉ କେତେଜଣ ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ଦାବି କରିଥିଲେ ।

ମିଚ୍ଛାମି ଦୁକ୍କଡମ କ୍ଲିପରେ ଭଏସ ଓଭର ବି ରହିଛି । ଏଥିରେ କୁହାଯାଇଛି ଆମେ ମଣିଶ ଭୁଲ ଆମର ହିଁ ହୋଇଥାଏ । କେତେବେଳ କଥାରେ, କେତେବେଳେ ଦୁଷ୍ଟାମିରେ, କେତେବେଳେ ଅଜାଣତରେ, କେତେବେଳେ ରାଗରେ, କେତେବେଳେ ମଜାରେ , କେତେବେଳେ କଥା ନ ହୋଇ.. ମୁଁ ଯଦି ଏମିତି କିଛି ଭୁଲ କରିଥାଏ ଅବା କାହା ମନରେ କଷ୍ଟ ଦେଇଥାଏ ତେବେ ମୁଁ ହୃଦୟରୁ କ୍ଷମା ମାଗୁଛି ।
ସୂଚନାଯୋଗ୍ୟ, ଏହି ପୋଷ୍ଟ ପଛରେ ଜୈନ ଧର୍ମାବଲମ୍ବିଙ୍କ ଉତ୍ସବ ରହିଛି । ଭାଦ୍ରବ ମାସର ଚତୁର୍ଥି ଦିନ ଶ୍ୱେତାମ୍ବର ଜୈନଙ୍କର ପର୍ଯ୍ୟୁଷଣ ପର୍ବ ଶେଷ ହୋଇଥାଏ । ଏପଟେ ଦିଗମ୍ବର ଜୈନଙ୍କ ଦଶଲାକ୍ଷଣୀ ପର୍ବ ଆରମ୍ଭ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଏହି ପୋଷ୍ଟ କରାଯାଇଛି । ମିଚ୍ଛାମି ଦୁକ୍କଡମ ମାଧ୍ୟମରେ ଜୈନ ଧର୍ମାବଲମ୍ବିମାନେ ଜାଣତରେ ବା ଅଜାଣତରେ କରିଥିବା ଭୁଲ ପାଇଁ କ୍ଷମା ମାଗିଥାଆନ୍ତି ।
ଆମିର ଖାଁଙ୍କ ପ୍ରଡକଶନର ଟୁଇଟର ହ୍ୟାଣ୍ଡେଲରେ ଏହି ପୋଷ୍ଟ ଦେଖିବା ପରେ ଲୋକେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ । କେହି କେହି ଏହି ଆକାଉଣ୍ଟ ହ୍ୟାକ ହୋଇଥିବା ଦାବି କରିଥିବା ବେଳେ ଅନ୍ୟ କେତେଜଣ କହିଥିଲେ, ଆମିର ଖାଁ ତୁମେ ଏତେ ଦୁର୍ବଳ ନୁହେଁ ତୁମେ କୌଣସି ଭୁଲ କରିନ, ବିନା କାରଣରେ କାହିଁକି କ୍ଷମା ମାଗୁଛ ।

Share