Categories: ଖେଳ

‘ଯେମିତି କରିଥିଲେ, ସେମିତି ପାଇଲେ’

ନୂଆଦିଲ୍ଲୀ,୧୪।୧୦: ଯେମିତି କରିଥିଲେ, ସେମିତି ପାଇଲେ। କିଛି ଏଭଳି କଥାକୁ ନେଇ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ କରୁଛନ୍ତି। ଅଧ୍ୟକ୍ଷ ପଦରୁ ଗାଙ୍ଗୁଲି ବିଦା ହେବେ ବୋଲି କୁହାଯାଉଥିବା ବେଳେ ତାଙ୍କ ସ୍ଥାନରେ ରୋଜର ବିନ୍ନିଙ୍କୁ ଦାୟିତ୍ୱ ମିଳିପାରେ। ହେଲେ ଗାଙ୍ଗୁଲି ଏବେ ଏହି ପଦ ଛାଡ଼ିବାକୁ ଚାହୁଁ ନ ଥିବା ଜଣାପଡ଼ିଛି। ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି।

୫୦ ବର୍ଷୀୟ ଗାଙ୍ଗୁଲି ୨୦୧୯ରେ ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳି ଆସୁଛନ୍ତି। ଏହି ୩ ବର୍ଷ ଭିତରେ ସେ ସଫଳତା ସାଙ୍ଗକୁ ବିବାଦକୁ ନେଇ ଚଚ୍ଚାରେ ରହିଥିଲେ। ବିଶେଷକରି କୋହଲିଙ୍କ ସହ ତାଙ୍କ ବିବାଦ ଖବର ଶିରୋନାମା ପାଲଟୁଥିଲା। ଏବେ କୋହଲିଙ୍କ ପ୍ରଶଂସକ ଉକ୍ତ ଦିନକୁ ମନେ ପକାଇ ଦାଦାଙ୍କୁ ଟ୍ରୋଲ କରୁଛନ୍ତି।

ଜଣେ ବ୍ୟବହାରକାରୀ ଟୁଇଟରରେ ଲେଖିଛନ୍ତି, କୋହଲି ଦିନିକିଆ ଫର୍ମାଟରେ ଭାରତର ଅଧିନାୟକ ରହିବାକୁ ଚାହୁଁଥିଲେ, ହେଲେ ଏହାକୁ ମଞ୍ଜୁର କରାଯାଇ ନ ଥିଲା। ଏବେ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ରହିବାକୁ ଚାହୁଁଛନ୍ତି। ହେଲେ ଏହାକୁ ମଧ୍ୟ ମଞ୍ଜୁର କରାଯାଇନାହିଁ। କହିବାକୁ ଗଲେ ‘କର୍ମା ଷ୍ଟାଇକ୍‌ସ ବ୍ୟାକ୍‌’ ( ଯେମିତି କରିବ, ସେମିତି ପାଇବ) ବୋଲି ସେ ଲେଖିଛନ୍ତି।

କହିରଖୁଛୁ ଯେ, ଗତ ବର୍ଷ ଟି୨୦ ବିଶ୍ୱକପ୍‌ ପରେ କୋହଲି ଏହି ଫର୍ମାଟର ଅଧିନାୟକ ପଦ ଛାଡ଼ିଥିଲେ। ସେ ଦିନିକିଆ ଫର୍ମାଟରେ ଅଧିନାୟକ ହୋଇ ରହିବାକୁ ଚାହୁଁଥିଲେ। ମାତ୍ର ବିସିସିଆଇ ତାଙ୍କ କଥାକୁ ଗ୍ରହଣ କରି ନ ଥିଲା। କୋହଲିଙ୍କୁ ଏହି ଦାୟିତ୍ୱରୁ ହଟାଇ ରୋହିତ ଶର୍ମାଙ୍କୁ ଦେଇଥିଲା। ସେତେବେଳେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି ଏହା ଚାହୁଁ ନ ଥିଲେ କି ଭିନ୍ନ ଫର୍ମାଟରେ ଭିନ୍ନ ଅଧିନାୟକ ହୁଅନ୍ତୁ।

Share