Categories: ଖେଳ

ପନ୍ତ-ଆୟରଙ୍କ ଚମତ୍କାର ବ୍ୟାଟିଂ

ଢାକା,୨୩।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଢାକାରେ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୨୨୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆର ବ୍ୟାଟିଂ ଜାରି ରହିଛି। ଦ୍ୱିତୀୟ ଦିନରେ ଚା’ ବିରତି ପର୍ଯ୍ୟନ୍ତ ଭାରତ ୪ ଉଇକେଟ୍‌ ହରାଇ ୨୨୬ ରନ୍‌ କରିଛି।
ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ରିଷଭ ପନ୍ତ ଏବଂ ଶ୍ରେୟାସ ଆୟର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଉଭୟ ଶତକୀୟ ଭାଗିଦାରୀ କରିଛନ୍ତି। ଆୟର ୬୦ ବଲରେ ୫୦ ରନ ପୂରଣ କରିଛନ୍ତି। ସେ ଏପର୍ଯ୍ୟନ୍ତ ନିଜ ଇନିଂସରେ ୬ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ସେହିପରି ରିଷଭ ପନ୍ତ ୮୯ ବଲ୍‌ରେ ୮୬ ରନ୍‌ କରି ଖେଳୁଛନ୍ତି।
ଗତ କାଲିର ସ୍କୋର ୧୯ ରନ୍‌ରୁ ଖେଳ ଆରମ୍ଭ କରିଥିଲା ଭାରତ। ଓପନର କେଏଲ ରାହୁଲ ୧୦ ଏବଂ ଶୁଭମନ ଗିଲ ୨୦ ରନ୍‌ରେ ଆଉଟ୍‌ ହୋଇଥିଲେ। ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ୨୪ ଏବଂ ବିରାଟ କୋହଲି ୨୪ କରିଥିଲେ।

Share