Categories: ଜାତୀୟ

ଐତିହାସିକ ଭବନକୁ ବିଦାୟ ଦେଉଛୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନୂତନ ସଂସଦ ଭବନକୁ ଯିବା ପୂର୍ବରୁ ଆସନ୍ତୁ ଦେଶର ସଂସଦର ୭୫ ବର୍ଷର ଯାତ୍ରାକୁ ମନେ ରଖିବା। ଆମେ ସମସ୍ତେ ଏହି ଐତିହାସିକ ଭବନକୁ ବିଦାୟ ଦେଉଛୁ। ଏହି ସମୟରେ ଆମ ପାଇ ଭାବପ୍ରବଣ ମୂହୁର୍ତ୍ତ। ଦେଶବାସୀଙ୍କ ଝାଳ ଏଥିରେ ପ୍ରବେଶ କରିଛି। ସ୍ବାଧୀନ ଭାରତ ସହ ଜଡିତ ଅନେକ ଘଟଣା ଗତ ୭୫ ବର୍ଷ ମଧ୍ୟରେ ଏହି ଗୃହରେ ଘଟିଥିଲା। ମୁଁ ଏମ୍‌ପି ଭାବରେ ପ୍ରଥମ ଥର ଏହି ବିଲଡିଂରେ ପ୍ରବେଶ କରିବା ମାତ୍ରେ ଗଣତନ୍ତ୍ରର ଏହି ମନ୍ଦିରକୁ ମୁଁ ମୁଣ୍ଡ ନୁଆଁଇଥିଲି। ସ୍ବାଧୀନତା ପୂର୍ବରୁ ଏହି ଗୃହଟି ସାମ୍ରାଜ୍ୟ ବିଧାନ ପରିଷଦର ସ୍ଥାନ ଥିଲା। ସ୍ବାଧୀନତା ପରେ ଏହି ବିଲଡିଂ ସଂସଦ ଗୃହର ପରିଚୟ ପାଇଲା। ପୁରୁଣା ସଂସଦ ଭବନ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ।
ଜି -୨୦ର ସଫଳତା ହେଉଛି ଭାରତର ସଫଳତା। ଏହା କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀର ସଫଳତା ନୁହେଁ। ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସେହିପରି ଚନ୍ଦ୍ରୟାନ-୩ର ସଫଳତାକୁ ନେଇ ଦେଶ ଗର୍ବିତ। ଏହା ଦେଶ ତଥା ବିଶ୍ୱରେ ଏକ ନୂତନ ପ୍ରଭାବ ପକାଇବ। ଏବେ ଭାରତ କଥା ସବୁ ସ୍ଥାନରେ ଆଲୋଚନା ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଆଜିଠୁ ୨୨ ତାରିଖ ଯାଏ ୫ ଦିନ ଧରି ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିବ। ସଂସଦର ସ୍ବତନ୍ତ୍ର ଅଧିବେଶନ ପୁରୁଣା ସଂସଦ ଗୃହରେ ଆରମ୍ଭ ହୋଇଛି। ଗଣେଶ ପୂଜାରେ ସଂସଦର ନୂଆ ବିଲ୍ଡିଂରେ ସ୍ବତନ୍ତ୍ର ଅଧିବେଶନ ବସିବ।

Share