ପାରମ୍ପରିକ ରୀତିନୀତିରେ ବିବାହ କରିବେ ଫରହାନ-ଶିବାନୀ

ମୁମ୍ବାଇ: ବଲିଉଡ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଫେବୃଆରୀ ୧୯ରେ ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ ବିବାହ କରିବେ। ଏହାପୂର୍ବରୁ ଅର୍ଥାତ୍‌ ଫେବୃଆରୀ ୧୭ରେ ଶିବାନୀ ଦାଣ୍ଡେକରଙ୍କ ହଲଦି ସମାରୋହ ଆୟୋଜିତ ହୋଇଛି। ଯେଉଁଥିରେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାରଲୋକ ସାମିଲ ହୋଇଛନ୍ତି। ଗୁରୁବାର ଫରହାନ ଅଖତରଙ୍କ ମା’ ହନି ଇରାନୀ ବିବାହ ତାରିଖ ନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଗତ ୪ବର୍ଷରୁ ଫରହାନ ଓ ଶିବାନୀ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ। ହେଲେ ଏବେ ଦୁହେଁ ନିଜ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୯ରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ହନି ଇରାନୀ କହିଛନ୍ତି, ବିବାହ ପୂର୍ବରୁ ସମସ୍ତ ରୀତିନୀତି ଆରମ୍ଭ ହୋଇଥିବା ବେଳେ ଘରେ ସମସ୍ତ ପ୍ରସ୍ତୁତି କରାଯାଇଛି। ଶିବାନୀଙ୍କ ଘନିଷ୍ଠ ବନ୍ଧୁମାନେ ଏକ ମେହେନ୍ଦୀ ସମାରୋହର ମଧ୍ୟ ଆୟୋଜନ କରିଛନ୍ତି। ଏହା ମଧ୍ୟ ଫେବୃଆରୀରେ ୧୭ରେ ଆୟୋଜିତ ହୋଇଛି। ଏହି ବିବାହ ଉତ୍ସବରେ କେବଳ ପରିବାର ଓ ଘନିଷ୍ଠ ସର୍ମ୍ପକୀୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ବିବାହ ସ୍ଥାନକୁ ନେଇ ଏବେ ବି ଗୋପନୀୟ ରଖାଯାଇଛି। ବିବାହ ପରେ ଫରହାନ ଓ ଶିବାନୀ ମିଳିତ ଭାବେ ଏକ ରିସେପଶନ ପାର୍ଟିର ଆୟୋଜନ କରିବେ ବୋଲି ଜଣାପଡ଼ିଛି। ଏଥିରେ ପରିବାର ଲୋକ, ଘନିଷ୍ଠ ବନ୍ଧୁ ଓ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସେଲିବ୍ରିଟି ସାମିଲ ହେବେ। ତେବେ ଫରହାନ ଓ ଶିବାନୀଙ୍କ ବିବାହକୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି।

Share