ନୂଆଦିଲ୍ଲୀ,୧୭ ।୧୨:କେନ୍ଦ୍ରର କୃଷି ଆଇନକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି କରାଯାଉଛି । ଶୁଣାଣି ସମୟରେ ମୁଖ୍ୟ ବିଚାରପତି(ସିଜେଆଇ) ଏଏସ୍ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି କୃଷକଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି । ଏଥିରେ ଆମେ ହସ୍ତକ୍ଷେପ କରିପାରିବା ନାହିଁ । ହେଲେ ଏଥିରେ ଯେମିତି କାହା ଜୀବନ ପ୍ରତି ବିପଦ ନ ଆସିବ ଓ ଏହା ହିଂସା ସୃଷ୍ଟି କରୁ ନ ଥିବ । ଏହାସହ ଆନ୍ଦାଳନ ସମୟରେ କୌଣସି ରାସ୍ତାକୁ ମଧ୍ୟ କୃଷକ ବନ୍ଦ କରିପାରିବେ ନାହିଁ । ଆଟର୍ନି ଜେନରାଲ କେକେ ବେଣୁଗୋପାଳ କହିଥିଲେ ବିରୋଧ ପ୍ରଦର୍ଶନ ସମୟରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ମାସ୍କ ପିନ୍ଧି ନ ଥିବାରୁ ଏମାନେ ଯେତେବେଳେ ଗାଁକୁ ଫେରିବେ ସେଠାରେ କରୋନା ବ୍ୟାପିବାର ସମ୍ଭବନା ଯଥେଷ୍ଟ ଅଧିକ ରହିଛି ।