Categories: ଜାତୀୟ

ଦେଶବାସୀଙ୍କୁ ମୋଦିଙ୍କ ଖାସ୍‌ ଅପିଲ୍‌

ନୂଆଦିଲ୍ଲୀ,୧୧।୧୨: ନୂଆ କୃଷି ଆଇନକୁ ନେଇ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ନିୟମ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ସରକାର ଏହି ତିନୋଟି ନିୟମ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ସରକାର କେବଳ ଆଇନ ପ୍ରତ୍ୟାହାର କରିବା ପରିବର୍ତ୍ତେ ସଂଶୋଧନ ପ୍ରସ୍ତାବ ଦେଉଛନ୍ତି। ସେପଟେ କୃଷକ ସଂଗଠନ ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ଶୁଣିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏକ ଟୁଇଟ୍‌ରେ କୃଷକ ଆନ୍ଦୋଳନ ମାମଲାରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଙ୍କ କଥା ଶୁଣିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ମୋଦି ଲେଖିଛନ୍ତି, ମୋର ଦୁଇ କ୍ୟାବିନେଟ ସହକର୍ମୀ ନରେନ୍ଦ୍ର ସିଂ ତୋମାର ଜୀ ଏବଂ ପୀୟୁଷ ଗୋୟଲ ଜୀ ନୂତନ କୃଷି ଆଇନ ଏବଂ ଚାଷୀଙ୍କ ଦାବି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ନିଶ୍ଚୟ ଶୁଣନ୍ତୁ। ଭାରତୀୟ କୃଷକ ସଂଘ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି। ଏହି ତିନୋଟି କୃଷି ଆଇନକୁ ବିରୋଧରେ ଚ୍ୟାଲେଞ୍ଜ କରାଯାଇଛି। ଏହାପୂର୍ବରୁ ଗୁରୁବାର ଦିନ କୃଷକ ସଂଗଠନ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ଯେ ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନେ ଏହି ଆନ୍ଦୋଳନ ବନ୍ଦ କରିବେ ନାହିଁ। ଏଥି ସହ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚାଷୀଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ ଏବଂ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଦାବି କରିଛନ୍ତି।

Share