କେନାଲ କାମକୁ ନେଇ ଚାଷୀ ଅସନ୍ତୋଷ

ସମ୍ବଲପୁର୍‌, ୮ା୬(ବ୍ୟୁରୋ): ଯୁଯୁମୁରା ବ୍ଲକରେ କ୍ଷୁଦ୍ର ଜଳସେଚନ (ଏମ୍‌ଆଇ) ବିଭାଗ ପକ୍ଷରୁ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା କେନାଲ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଗତବର୍ଷ କାମ ଆରମ୍ଭ ହେବା ସମୟରେ ଲୋକେ ଅଭିଯୋଗ କରିଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଠିକାଦାର ମନଇଚ୍ଛା କାମ କରୁଛନ୍ତି। କାମର ମାନ ଯାଞ୍ଚ କରା ନ ଗଲେ ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ଯାଞ୍ଚ କରାଯିବାକୁ ଦାବି କରିବେ ବୋଲି ଚାଷୀମାନେ କହିଛନ୍ତି।
ଚାଷୀଙ୍କ ଅଭିଯୋଗକ୍ରମେ, ଜରାଙ୍ଗ ଗ୍ରାମ ଦେଇ ପୂର୍ବରୁ କେନାଲ ରହିଛି। ଏହି କେନାଲ ପାଣିରେ ଲାଙ୍ଗବାହାଳ, ଜରାଙ୍ଗ, ଅମଲିପାଏନ, କୟାକୁଦ, ଘିଚାପାଲି, ଅନ୍ଧାରୀ ଆଦି ଗ୍ରାମର ଶହଶହ ଏକର ଜମି ଚାଷ ହୋଇଥାଏ। ଝରଣାପାଣି ପ୍ରବାହିତ ହେବା ସହ ଡ୍ୟାମ୍‌ ପାଣି ମଧ୍ୟ କେନାଲରେ ଆସିଥାଏ। କେନାଲ ପୁନଃଉଦ୍ଧାର କରିବା ପାଇଁ ଦାବି କରିବା ପରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କେନାଲ ନିର୍ମାଣ କାମ ହାତକୁ ନିଆଯାଇଥିଲା। ହେଲେ ଡ୍ରଇଁ ଓ ଏଷ୍ଟିମେଟ ଅନୁସାରେ କାମ ହେଉ ନାହିଁ। କଂକ୍ରିଟ ମିଶ୍ରଣରେ ଅନିୟମିତତା ହେବା ସହ ଢଳେଇ ମଧ୍ୟ ଠିକ୍‌ ଭାବେ ହେଉ ନାହିଁ। ଫଳରେ ଗୋଟିଏ ପଟେ କାମ ଚାଲୁଥିବାବେଳେ ଅନ୍ୟପଟେ କଂକ୍ରିଟରେ ଫାଟ ହୋଇ ଉଠିଯାଉଛି। ଯେଭଳି ଭାବେ କାମ ହେଉଛି ତାହା ଅଳ୍ପଦିନ ମଧ୍ୟରେ ନଷ୍ଟ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ସେମାନେ କେବଳ ତାଗିଦ କରି ଛାଡି ଦେଉଛନ୍ତି। ତେଣୁ କାମର ମାନ ଯାଞ୍ଚ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଏ ବିଭାଗୀୟ ଜେଇ ଲକ୍ଷ୍ମଣ ମାଝି କହିଛନ୍ତି, ଚାଷୀମାନେ କେନାଲ କାମ ନେଇ ଅଭିଯୋଗ କରିଛନ୍ତି। କାମର ମାନ ଯାଞ୍ଚ କରାଯିବ ବୋଲି ସେ କହିଥିଲେ।

Share