Categories: ଜାତୀୟ

କୃଷକଙ୍କ ସଶକ୍ତିକରଣ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ: ମୋଦି

ନୂଆଦିଲ୍ଲୀ, ୨୭।୯: କୃଷକଙ୍କ ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ। ତେଣୁ କୃଷକଙ୍କ ସଶକ୍ତି କରଣ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ପଡ଼ିପାରିବ। ସେହିପରି ଗାଁର ସମୃଦ୍ଧି ମଧ୍ୟରେ ଦେଶର ବିକାଶ ଲୁଚି ରହିଛି। ଏବେ ଗାଁରେ ବାସ କରୁଥିବା କୃଷକ ନିଜ ଫସଲ ଯେକୌଣସି ସ୍ଥାନରେ ବିକ୍ରି କରିବାର ଅଧିକାର ପାଇଛନ୍ତି। ଏହା ଦ୍ୱାରା ଦୀର୍ଘ ଦିନର କଟକଣା ହଟିଯାଇଛି। ଅନ୍ନଦାତା ଏବେ ନିଜ ଫସଲ ସମ୍ପର୍କରେ ନିର୍ଣ୍ଣୟ ନେଇପାରିବେ। ପୂର୍ବରୁ ମଣ୍ଡି ବାହାରେ ଅମଳ ହୋଇଥିବା ଫସଲ ବିକ୍ରି କରିବା କଷ୍ଟକର ହେଉଥିଲା। ମାତ୍ର ଏବେ ଆଉ ସେଭଳି ଅସୁବିଧା ହେବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୯ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ନିଜ ନିଜ ପରିବାର ସହିତ ରହିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ। ସେହିପରି ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ପାଳନ କରିବା ଅପରିହାର୍ଯ୍ୟ। କରୋନା ସଙ୍କଟ ଲୋକଙ୍କୁ ପରିବାର ସହିତ ରହିବା ସମ୍ପର୍କରେ ଶିଖାଇଥିବା ମୋଦି କହିଛନ୍ତି। ଗୋଟିଏ ପଟେ ଘର ବାହାରେ ୨ ଗଜ ସାମାଜିକ ଦୂରତା ବଜାୟ ରଖିବା ଅତ୍ୟାବଶ୍ୟକ ହୋଇଥିବାବେଳେ କରୋନା ଯୋଗୁ ପାରିବାରିକ ସଦସ୍ୟଙ୍କ ମଧ୍ୟରେ ନିବିଡ଼ତା ବଢ଼ିଛି। ଏବେ କରୋନା ସଙ୍କଟ ଯୋଗୁ ପରିବାରରେ କାହାଣୀ ଶୁଣାଇବାର ପୁରୁଣା ପରମ୍ପରା ପୁଣି ଫେରିପାରିଛି। ପ୍ରତି ସପ୍ତାହରେ ପରିବାରର ଛୋଟ ପିଲାଙ୍କୁ କାହାଣୀ ଶୁଣାଇବା ଏବଂ ନିଜ ପିଲାଦିନ ସମ୍ପର୍କରେ ବଖାଣିବା ଲାଗି ପ୍ରତି ଅଭିଭାବକ କିିଛି ସମୟ ବାହାର କରିବା ଆବଶ୍ୟକ। ଏହାଦ୍ୱାରା ଅତୀତ ସହିତ ବର୍ତ୍ତମାନର ପରିଚୟ ସମ୍ଭବ ହୋଇପାରିବ। କେବଳ ନିଜ ବିଷୟ ନୁହେଁ ଭାରତର ମହାପୁରୁଷ, ସ୍ବାଧୀନତା ସଂଗ୍ରାମ ଏବଂ ଐତିହ୍ୟ ସମ୍ପର୍କରେ ଛୋଟ ପିଲାଙ୍କୁ ଶିକ୍ଷାଦେବାର ଆବଶ୍ୟକତା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ଭାରତୀୟ ସଂସ୍କୃତିର ପୁନରୁଦ୍ଧାର ହୋଇପାରିବ ବୋଲି ମୋଦି କହିଛନ୍ତି। ଜୀବନ ବ୍ୟାପି ଜଣେ ପରିବ୍ରାଜକ ଭାବେ ରହିଥିବା ମୋଦି ସୂଚନା ଦେଇଛନ୍ତି। ନୂଆ ନୂଆ ଅଞ୍ଚଳ ବୁଲିବା ଏବଂ ଜ୍ଞାନ ଆହରଣ କରିବା ତାଙ୍କର ମୂଳ ଲକ୍ଷ୍ୟ ଭାବେ ରହି ଆସିଛି। ଦେଶ ସ୍ବାଧୀନତା ଜୀବନ ଦେଇଥିବା ସଂଗ୍ରାମୀଙ୍କ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି। ଭଗତ ସିଂଙ୍କ ଭଳି ୨୩ ବର୍ଷ ଯୁବକ କିଭଳି ଇଂରେଜ ସରକାରଙ୍କୁ ଭୟଭୀତ କରାଇ ପରବର୍ତ୍ତୀ ସମୟରେ ଭାରତବାସୀଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିଥିଲେ ସେ ସମ୍ପର୍କରେ ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି।

Share