Advertisement

ରାଇସ୍‌ମିଲ୍‌ରେ ଟଳିପଡିଲେ ଚାଷୀ

ସୋରଡା,୨୮।୧(ରଜନୀ ମହାପାତ୍ର): ଧାନ କଟନିଛଟନିକୁ ନେଇ ହୃଦଘାତରେ ଚାଷୀଙ୍କ ମୃତ୍ୟୁ  ହୋଇଥିବା ଅଭିଯୋଗହୋଇଛି। ଗଞ୍ଜାମ ଜିଲା ସୋରଡା ବ୍ଲକ ସରାବଡି ପଞ୍ଚାୟତ ଅନ୍ତର୍ଗତ ଚାକୁଣ୍ଡା ଗ୍ରାମର ଗଣେଶ ବିଷୋୟୀଙ୍କ ମୃତ୍ୟୁକୁ ନେଇ ସୋମବାର ରାତିରେ ଉତ୍ତେଜନା ଦେଖାଦେଇଛି। ଏ ନେଇ ତାଙ୍କ ପରିବାର ଲୋକେ ବଡଗଡ ଥାନାରେ ଅଭିଯୋଗ କରିଛନ୍ତି। ଗଣେଶ ଧାନ ନେଇ ମଣ୍ଡିକୁ ଯାଇଥିଲେ। କଟନିଛଟନିକୁ ନେଇ ମାନସିକ ଅଶାନ୍ତିରୁ ଏପରି ଘଟିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି।  ତେବେ ମିଲ୍‌ ମାଲିକ ଏହାକୁ ଖଣ୍ଡନ କରିଛନ୍ତି। ତେବେ ଗଣେଶଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ପୋଲିସର ତଦନ୍ତ ପରେ ଏବଂମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡିବ।
ସୂଚନାଯୋଗ୍ୟ, ଗଣେଶ ଧାନ ନେଇ ଲେମ୍ବା କୁମ୍ପାସ୍ଥିତ ଭବାନୀ ଶଙ୍କର ରାଇସ ମିଲକୁ ଯାଇଥିଲେ। ସେଠାର ମିଲ୍‌ ମାଲିକ ଧାନ ଖରାପ ଥିବା କହି ଅଧିକ ଧାନ ଟଙ୍କା କାଟିବା ସହ ବସ୍ତାବସ୍ତା ଧାନ ଫେରାଇନେଇଯିବା ପାଇଁ କହିଥିଲେ । ତେବେ ଏତେ ଧାନ ଖରାପ ଥିବା ଶୁଣି ଗଣେଶ ସେଠାରେ ଅଚେତ ହୋଇ ପଡିଯାଇଥିଲେ। ମିଲ କର୍ମଚାରୀ ଗଣେଶଙ୍କୁ ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ବଡଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା।
ଖବର ପାଇ ଘଟଣାସ୍ଥଳରେ ବଡଗଡ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ। ସୋରଡା ଏବିଡି ଓ ସଞ୍ଜୀବ ରାଜ ସେନାପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମିଲ୍‌ରେ ଥିବା ସମସ୍ତ ସିସିଟିଭି ଫୁଟେଜ୍‌କୁ ଦେଖି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାସହ ମିଲ୍‌ ମାଲିକ ଓ ସୋସାଇଟି ସେକ୍ରେଟାରୀଙ୍କୁ ଡାକି ପଚରାଉଚରା କରିଛନ୍ତି।
ମିଲ ମାଲିକ କହିଛନ୍ତି ଯେ, ଆମେ ଗଣେଶଙ୍କ ଧାନ ନେବା ପାଇଁ ମନା  କରିନୁ ଏବଂ  ତାଙ୍କ ସମ୍ପର୍କୀୟଙ୍କ ଧାନ ଓଜନ କରିବା ଓ ଧାନର ମାନ ପରୀକ୍ଷା କରିବା ସମୟରେ ଗଣେଶ ହଠାତ ଅଚେତ ହୋଇ ପଡିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share