ତଳି ପାଇଁ ନଦୀରେ ଫସିଲେ ଚାଷୀ

ଭବାନୀପାଟଣା,୮।୮(ସ୍ବ.ପ୍ର.): ଧାନ ତଳି ସୁରକ୍ଷିତ ସ୍ଥାନରେ ରଖିବାକୁ ଯାଇ ନଦୀରେ ଜଳବନ୍ଦୀ ହେଲେ ୨ ଚାଷୀ। ଦୀର୍ଘ ସମୟ ଧରି ଜଳରେ ଫଶି ରହିବା ପରେ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଛି। କଳାହାଣ୍ଡି ଜିଲାରେ ଏଭଳି ଏକ ଘଟଣା ସାମାନାକୁ ଆସିଛି। ରବିବାର କଳାହାଣ୍ଡି ଜିଲା ଜୟପାଟଣା ବ୍ଲକରେ ସବୁଠୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବ୍ଲକର କାଦୋପଦର ଗ୍ରାମର ଅର୍ଜୁନ ମାଝି ଓ ମଣିଧାର ରାଉତ ୨ଜଣ ଚାଷୀ ଧାନ ତଳି ଚାଷ ଜମିରୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଯାଇଥିଲେ। ଏହି ସମୟରେ ଦୁଇ ପାର୍ଶ୍ୱରେ ଥିବା ଗାଈଧାର ଓ ହାତୀ ନଦୀରେ ହଠାତ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ଏହି ୨ଜଣ ଚାଷୀ ବାହାରି ନ ପାରି ଦୀର୍ଘ ସମୟ ଧରି ଦୁଇ ନଦୀ ମଧ୍ୟରେ ଜଳବନ୍ଦୀ ହୋଇ ରହିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜୟପାଟଣା ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପରେ ଅଗ୍ନିଶମ ବିଭାଗ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଫଳରେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚତ୍ ଯାଇଥିଲେ ୨ ଚାଷୀ। ଅନ୍ୟପଟେ ବନ୍ୟା ଜଳରେ ଗୋଟିଏ ଗାଈ, ଗୋଟିଏ ପାୱାର ଟିଲର, ମୋଟର ପମ୍ପ ଭାସି ଯାଇଥିବା ଜଣାପଡିଛି।

Share