Categories: ଜାତୀୟ

୫୧୨ କିଲୋ ପିଆଜ ବିକି ପାଇଲେ ମାତ୍ର ୨.୪୯ ଟଙ୍କା, ଚାଷୀ କହିଲେ ‘କିଭଳି ବଞ୍ଚିବୁ’

ସୋଲାପୁର,୨୪।୨: ଦେଶରେ ଚାଷୀଙ୍କ ଅବସ୍ଥା କାହାକୁ ବା ଅଛପା। କଠିନ ପରିଶ୍ରମ ସତ୍ତ୍ୱେ ଉପଯୁକ୍ତ ପ୍ରାପ୍ୟ ନ ପାଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି ଚାଷୀ। ଏହାର ଏକ ସଦ୍ୟ ଉଦାହରଣ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି।
ରାଜ୍ୟର ସୋଲାପୁରର ଜଣେ କୃଷକ ବିକ୍ରି କରିଥିବା ୫୧୨ କିଲୋଗ୍ରାମ ପିଆଜ ଲାଗି ମାତ୍ର ୨.୪୯ ଟଙ୍କା ପାଇଛନ୍ତି।

ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ସୋଲାପୁରର ବାର୍ସି ତହସିଲର ଚାଷୀ ରାଜେନ୍ଦ୍ର ଚୌହ୍ବାନ(୬୩) ପିଆଜ ଚାଷ କରିଥିଲେ। ଗତ ସପ୍ତାହରେ ସେ ୧୦ ବସ୍ତା ପିଆଜ ନେଇ ସୋଲାପୁର ବଜାରରେ ବିକ୍ରି କରିଥିଲେ। କିଲୋ ପିଛା ତାଙ୍କୁ ଟଙ୍କାଏ ଲେଖାଏ ମିଳିଥିଲା। ମାଲ ପରିବହନ, ମଜୁରୀ ଏବଂ ଅନ୍ୟାନ୍ୟ ଦେୟ(ମୋଟ ୫୦୯.୫୧ ଟଙ୍କା) କାଟିବା ପରେ ସେ ମାତ୍ର ୨.୪୯ ଟଙ୍କା ପାଇଛନ୍ତି।

ଏହାକୁ ନେଇ ରାଜେନ୍ଦ୍ର କୁହନ୍ତି, ଏହା ମୋ ସହ ରାଜ୍ୟର ଅନ୍ୟ ପିଆଜ ଚାଷୀଙ୍କ ପାଇଁ ଅପମାନ। ଯଦି ଆମେ ଏତେ କମ୍‌ ମୂଲ୍ୟ ପାଇବୁ ତେବେ କିଭଳି ବଞ୍ଚିବୁ। ପିଆଜ ଚାଷୀମାନେ ସେମାନଙ୍କ ଫସଲ ଲାଗି ଭଲ ମୂଲ୍ୟ ପାଇବା ଉଚିତ। ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ମିଳିବା ଉଚିତ।

Share