ବିହନ ଧରି ବର୍ଷା ଅପେକ୍ଷାରେ ଚାଷୀ

ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଲାଣି। ଅତ୍ୟଧିକ ଉତ୍ତାପ ଯୋଗୁ ଜଳୁଛି ଗାଁ ଆଉ ସହର। ଏଥିଯୋଗୁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଅନ୍ୟପଟେ ବର୍ଷାକୁ ଚାହିଁ ରହିଛନ୍ତି ଗଞ୍ଜାମ ବ୍ଲକ ଅଞ୍ଚଳର ଚାଷୀ। ଚାଷୀ ଜମି ଚାଷ କରିବା ସହ ବିହନ ମଧ୍ୟ କିଣା ସରିଛି। ବର୍ଷା ହେଲେ ତଳି ବୁଣିବେ। କିନ୍ତୁ ବର୍ଷାର ଦେଖା ନାହିଁ। ପନ୍ଦର ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ମୋଟ ୧୨ ହଜାର ୮୬୪ ହେକ୍ଟର ଚାଷଜମି ଥିବା ବେଳେ ସେଥିରୁ ୪ ହଜାର ୮୧୬ ହେକ୍ଟର ଜମିରେ ଧାନ ଫସଲ ହେଉଛି। କିଛି ଚାଷୀ ବିହନ ପାଇବା ନିମନ୍ତେ ଏପର୍ଯ୍ୟନ୍ତ ନିଜ ନାମ ପଞ୍ଜୀକୃତ କରିନାହାନ୍ତି ବୋଲି ଶୁଣିବାକୁ ମିଳୁଛି। ଫଳରେ ବିହନ ପାଇବା ନେଇ ସନ୍ଦେହରେ ଅଛନ୍ତି ଅଣପଞ୍ଜୀକୃତ ଚାଷୀ। ଯଦି ବାହାରରୁ ଚାଷୀ ବିହନ କିଣି ଜମିରେ ବୁଣନ୍ତି ତାହାହେଲେ କ୍ଷତି ହେଲେ କ୍ଷତିପୂରଣ ପାଇବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉନ୍ନତମାନର ଚାଷ ପ୍ରଣାଳୀ ନିମନ୍ତେ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ ଏହି ବ୍ଲକରେ ତାହା ବ୍ୟତିକ୍ରମ ହେଉଥିବା କିଛି ଚାଷୀ ସୂଚନା ଦେଇଛନ୍ତି। ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଏଠାକାର ଚାଷୀ ଜାଣିପାରୁନାହାନ୍ତି କିମ୍ବା ସେମାନଙ୍କୁ ଅବଗତ କରାଯାଉନି ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀଙ୍କୁ ଯୋଗାଯୋଗ ହୋଇପାରିନଥିଲା ବେଳେ ଚାଷୀମାନଙ୍କ ସମସ୍ୟାକୁ ନେଇ ସବୁବେଳେ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇ ଆସିଛି। ସମସ୍ୟା କ’ଣ ରହିଛି ଏଇଓଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ଜସ୍ମିନ ପ୍ରଧାନ ସୂଚନା ଦେଇଛନ୍ତି।