Categories: ମେଟ୍ରୋ

ଚାଷୀ-ପୋଲିସ ମୁହାଁମୁହିଁ: ହଂସପାଳରେ ଧାରଣା

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅନେକ ହଜାର ଚାଷୀ ମଙ୍ଗଳବାର ଭୁବନେଶ୍ୱରକୁ ବିଭିନ୍ନ ଦାବି ନେଇ ପଦଯାତ୍ରାରେ ଆସିବା ବେଳେ ହଂସପାଳଠାରେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି। ସଙ୍ଗଠନର ଡାକରାରେ ଅକ୍ଟୋବର ୧୩ ତାରିଖରୁ ଧାନମଣ୍ଡଳରୁ ଆରମ୍ଭ ହୋଇଥିବା ପଦଯାତ୍ରା ହଂସପାଳରେ ପହଞ୍ଚିଥିଲା। ଏ ନେଇ ଭୁବନେଶ୍ୱର ସହରରେ ହାଇ ଆଲର୍ଟ ଜାରି ହେବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ସହରକୁ ଦୂରଦୂରାନ୍ତରୁ ଆସୁଥିବା ଚାଷୀମାନେ ସଭାସ୍ଥଳକୁ କିପରି ଯାଇ ନ ପାରିବେ ସେଥିପାଇଁ ସେମାନଙ୍କୁ ବିଭିନ୍ନ ଜାଗାରେ ଅଟକା ଯାଇଥିଲା। ଏହାକୁ ପ୍ରତିବାଦ କରି କୃଷକମାନେ ହଂସପାଳଠାରେ ପ୍ରତିବାଦ କରି ଧାରଣା ଦେଇଥିଲେ। ଚାଷୀ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଯେ, ଲୋକ ପ୍ରତିନିଧିମାନେ ଚାଷୀମାନଙ୍କ ଗହଣକୁ ନ ଆସିବା ଅତ୍ୟନ୍ତ ଉଦ୍‌ବେଗଜନକ ଓ ଲଜ୍ଜାଜନକ ଘଟଣା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକପ୍ରତିନିଧିମାନେ ଚାଷୀମାନଙ୍କୁ ଉପେକ୍ଷା କରିବା ଦୁଃଖ ଓ କ୍ରୋଧ ସୃଷ୍ଟି କରିଛି। ସରକାର ବଜେଟରେ ଅର୍ଥ ବ୍ୟବସ୍ଥା କଲାବେଳେ ଚାଷୀ ଭତ୍ତା ପାସୋରି ଯାଉଛନ୍ତି। ସରକାରୀ କର୍ମଚାରୀଙ୍କ ସମସ୍ତ ଦାବି ସରକାର ମାନି ନେଉଥିଲାବେଳେ ଚାଷୀଙ୍କ କୌଣସି ଦାବିକୁ ଶୁଣନ୍ତି ନାହିଁ କି ଗୁରୁତ୍ୱ ଦେଉନାହାନ୍ତି। ଜଣେ କର୍ମଚାରୀଙ୍କ ପେନ୍‌ସନ ଓ ଚାଷୀର ବାର୍ଦ୍ଧକ୍ୟ ଭତ୍ତା ଭିତରେ ଆକାଶପାତାଳ ଫରକ ରହିଛି। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠ ଗୋଷ୍ଠୀଙ୍କ ବିଜୟ ହେବା କଥା। ମାତ୍ର ଏଠାରେ ଚାଷୀଙ୍କ ବିଜୟ ହୋଇପାରୁନାହିଁ। ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ, ରାଜ୍ୟ କମିଟି ସଭ୍ୟ ପ୍ରସନ୍ନ କୁଅଁର, ଦେବୀପ୍ରସାଦ ମହାରଣା ବକ୍ତବ୍ୟ ରଖିବା ସହ ଆନ୍ଦୋଳନାତ୍ମକ ସଙ୍ଗୀତ ପରିବେଷଣ କରିଥିଲେ। ସହସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ନିମାଁଇ ରାୟ ଆନ୍ଦୋଳନ ପରିଚାଳନା କରିଥିଲେ।

Share