ନୂଆଦିଲ୍ଲୀ,୯।୭: କୃଷି ଆଇନ୍କୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକମାନେ ପୁଣି ସରକାରଙ୍କ ବିରୋଧରେ ବର୍ଷିଛନ୍ତି। କୃଷକ ନେତା ରାକେଶ ଟିକାଏଟ ସରକାରଙ୍କୁ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଆନ୍ଦୋଳନକାରୀ କୃଷକମାନେ ଏହାଠାରୁ କମ ରାଜି ହେବେ ନାହିଁ। ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଷୀଙ୍କ ଆନ୍ଦୋଳନ ଜାରି ରହିବ। ସରକାର ବିନା ସର୍ତ୍ତରେ ତାଙ୍କ ସହ ଆଲୋଚନା କରନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ନିକଟରେ କହିଥିଲେ ସରକାର କୃଷି ଆଇନ୍ ପ୍ରତ୍ୟାହାର କରିବେ ନାହିଁ। କିନ୍ତୁ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ। ଏହି ଆନ୍ଦୋଳନ ବନ୍ଦ କରିବାକୁ ସେ କୃଷକଙ୍କୁ ଅନୁରୋଧ କରିଥିଲେ। କୃଷି ଉତ୍ପାଦନ ବଜାର କମିଟି (ଏପିଏମସି) ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ କ୍ରୟ ବ୍ୟବସ୍ଥା ଜାରି ରହିବ ଏବଂ ଏହାକୁ ଆହୁରି ମଜବୁତ କରାଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି।