କୋକସରା,୨୦।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧୀନ ତେନ୍ତୁଳିଆପଡ଼ା ଗ୍ରାମରେ ଗୁରୁବାର ଏକ ଭାଲୁ ଆକ୍ରମଣରେ ଜଣେ ଯୁବଚାଷୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କାମଦେବ ରାଉତ(୩୨)।
ମିଳିଥିବା ସୂଚନା ମୁତାବକ, ଗୁରୁବାର କାମଦେବ ସ୍ଥାନୀୟ ଜଙ୍ଗଲକୁ ଲାଗି ରହିଥିବା ନିଜ ଚାଷ ଜମିକୁ ଯାଇଥିଲେ। ପରେ ସେ ଶୌଚ ପାଇଁ ଜମି ନିକଟସ୍ଥ ଏକ ପଡ଼ିଆକୁ ଯାଇଥିବା ବେଳେ ଏକ ଭାଲୁ ହାବୁଡରେ ପଡିଯାଇଥିଲେ। ଭାଲୁ ଆକ୍ରମଣରେ ତାଙ୍କର ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ କୌଣସି ପ୍ରକାରେ ଭାଲୁ କବଳରୁ ମୁକୁଳି ସେ ଘରକୁ ଆସିଥିଲେ। ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗରୁତର ହେବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କାମଦେବ ଜଣେ କ୍ଷୁଦ୍ରଚାଷୀ ସହ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁସାରେ କ୍ଷତିପୂରଣ ଯୋଗାଇଦିଆଯିବା ସହ ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ଏଥିସହ ଜଣେ କର୍ମଚାରୀଙ୍କୁ ହସ୍ପିଟାଲକୁ ପଠାଯାଇ ତଦନ୍ତ କରାଯାଉଛି ବୋଲି ଫରେଷ୍ଟର କହିଛନ୍ତି।