ବିଚିତ୍ର ବିଶ୍ୱାଳ
ଏଇ କିଛି ଦିନ ତଳେ ଲଖିମ୍ପୁର ଖେରିରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭରତ କୃଷକମାନଙ୍କ ଉପରେ ଯେପରି ଭାବେ ଗାଡ଼ି ଚଢ଼େଇ ହତ୍ୟା କରାଗଲା ତାହା ନିନ୍ଦନୀୟ। ଘଟଣାର ଚାରିଦିନ ଯାଏ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଖୋଲାରେ ବୁଲିଲେ ବି ଗିରଫ କରାଯାଇପାରିଲା ନାହଁି। ଶେଷରେ ବହୁ ତୁମ୍ବିତୋଫାନ ହୋଇ ତାଙ୍କୁ ୬ ଦିନ ପରେ ଗରିଫ କରାଗଲା। ଓଲଟି ଘଟଣାର ୪ଦିନ ମଧ୍ୟରେ ମୃତକଙ୍କ ପରିବାରକୁ ଭେଟିବାକୁ ଯାଉଥିବା ନେତାମାନଙ୍କୁ ଗିରଫ କରାଗଲା ଏବଂ ଏ ସମସ୍ତ ଘଟଣାକୁ ଗଣମାଧ୍ୟମ କମ୍ ଗୁରୁତ୍ୱ ଦେଇ ମୁମ୍ବାଇର ରେଭ୍ ପାର୍ଟିରେ ଗିରଫ ହୋଇଥିବା ସେଲିବ୍ରିଟିଙ୍କ ପୁଅର ଖବରକୁ ବଢ଼େଇ ଚଢ଼େଇ ପ୍ରଚାର କଲା, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଶାସନତନ୍ତ୍ରଠାରୁ ଆରମ୍ଭ କରି ଗଣମାଧ୍ୟମଯାଏ ସମସ୍ତେ ଚାଷୀଙ୍କ ବିରୋଧରେ। ଲଖିମ୍ପୁର ଖେରିରେ ଯାହା ଘଟିଲା, ତାହା କୌଣସି ଗୁଣରେ ଗଣହତ୍ୟାଠାରୁ କମ୍ ନୁହେଁ। ଏହି ଘଟଣାରେ ଯଦି ଆମ ସାମୂହିକ ବିବେକ ବିଚଳିତ ହେଉନାହିଁି, ତେବେ ବୁଝିଯିବାକୁ ହେବ ଯେ ଆମ ସାମୂହିକ ବିବେକ ଉପରେ ପଥର ଲଦି ହୋଇଯାଇଛି। ଦଳ ପ୍ରେମ ବା ସରକାର ବନ୍ଦନାରେ ମଗ୍ନ ନ ରହି ଦେଶର ଜଣେ ସଚ୍ଚା ନାଗରିକ ଭାବେ ଏହି ଘଟଣାକୁ ନିନ୍ଦା କରାଯିବା ଦରକାର। ନହେଲେ ସବୁଦିନ ପାଇଁ ଚାଷୀଙ୍କ ଭାଗ୍ୟ ନେତାଙ୍କ ଗାଡ଼ିର ଚକା ତଳେ ପେଷି ହୋଇଯିବ ଓ ଆମେ ନୀରବଦ୍ରଷ୍ଟା ସାଜିଥିବା।
୩ ଅକ୍ଟୋବରରେ ଉତ୍ତରପ୍ରଦେଶର ଲଖିମ୍ପୁର ଖେରିଠାରେ ବିକ୍ଷୋଭ ପ୍ରଦର୍ଶନ କରିସାରି ଶାନ୍ତିପୂର୍ଣ୍ଣ ଭାବେ ଚାଲି ଚାଲି ଫେରୁଥିବା ଚାଷୀମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏକ ଗାଡ଼ି ପଛଆଡ଼ୁ ମାଡ଼ିଯିବାରୁ ଚାରି ଜଣ ଚାଷୀଙ୍କ ସମେତ ମୋଟ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଅଭିଯୋଗ ଯେ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗାଡ଼ି ଚଲାଉଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ନାମରେ ଦଫା ୩୦୨ରେ ହତ୍ୟା ଅଭିଯୋଗ ବି ହୋଇଛି। କିନ୍ତୁ ଦେଖାଗଲା ଯେ, ଅଭିଯୁକ୍ତଙ୍କୁ ଗିରଫ କରାଯିବାରେ ବିଳମ୍ବ ହେଲା। ଚାଷୀମାନେ ମୃତକମାନଙ୍କ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସତ୍ତ୍ୱେ ବି ଉତ୍ତରପ୍ରଦେଶ ପ୍ରଶାସନ ଅଭିଯୁକ୍ତଙ୍କ ପ୍ରତି ପ୍ରଥମରୁ କୋହଳ ମନୋଭାବ ପ୍ରଦର୍ଶନ କରିଚାଲିଲା। ଓଲଟି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମୃତକଙ୍କ ପରିବାରକୁ ଭେଟିବାକୁ ଲଖିମ୍ପୁର ଖେରି ଯାଉଥିବା ସମୟରେ ଉତ୍ତରପ୍ରଦେଶ ପୋଲିସ୍ ତାଙ୍କୁ ଗିରଫ କଲା। ରାଜ୍ୟ ସଭା ସଦସ୍ୟ ଦୀପେନ୍ଦର ହୁଦାଙ୍କୁ ବି ଅଟକ ରଖାଗଲା। ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶରେ ପଶିବାକୁ ସୁଯୋଗ ଦିଆଗଲା ନାହଁି। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଲକ୍ଷ୍ନୌ ବିମାନ ବନ୍ଦରଠାରେ ଅଟକ ରଖାଯିବାରୁ ସେ ସେହିଠାରେ ଧାରଣାରେ ବସିଲେ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ୍ ଯାଦବଙ୍କୁ ତାଙ୍କ ଘରେ ବନ୍ଦୀ କରି ରଖାଗଲା। ମୋଟାମୋଟି ଭାବେ କହିବାକୁ ଗଲେ, ଏପରି ଏକ ଜଘନ୍ୟ ଘଟଣା ଘଟିବା ପରେ କୌଣସି ବିରୋଧୀ ଦଳର ନେତାଙ୍କୁ ଉତ୍ତରପ୍ରଦେଶରେ ପଶିବାକୁ ଦିଆଗଲା ନାହଁି। କିନ୍ତୁ ପ୍ରଶ୍ନ ଉଠୁଛି, ଉତ୍ତରପ୍ରଦେଶ ପୋଲିସ୍ ପ୍ରଥମେ ବିରୋଧୀ ଦଳ ନେତାମାନଙ୍କୁ ଗିରଫ କରିବା କଥା ନା ଏପରି ଜଘନ୍ୟ କାଣ୍ଡ ଘଟେଇଥିବା ଅଭିଯୁକ୍ତଙ୍କୁ ଗିରଫ କରିବା କଥା! ଅଭିଯୁକ୍ତ ଆଶିଷ ମିଶ୍ରା ବାହାରେ ବୁଲୁଥିଲା ବେଳେ ଦୁର୍ଭାଗ୍ୟଜନକ ଭାବେ ଚାଷୀଙ୍କୁ ସମର୍ଥନ କରିବାକୁ ଯାଉଥିବା ନେତାମାନଙ୍କୁ ଗିରଫ କରାଗଲା। ଏହା କ’ଣ ଆମ ନୂଆ ଭାରତର ଓ ବିକଶିତ ଉତ୍ତରପ୍ରଦେଶ ଗଣତନ୍ତ୍ରର ନୂଆ ନମୁନା।
ଯେଉଁ ସମୟରେ ଚାଷୀ ଆନ୍ଦୋଳନ ଉପରେ ଏପରି ବର୍ବରୋଚିତ ଆକ୍ରମଣ ହେଲା, ଠିକ୍ ସେହି ସମୟରେ ସୁପ୍ରିମ୍କୋର୍ଟ ରାୟ ଶୁଣାଇଲେ ଯେ, ଚାଷୀ ଆନ୍ଦୋଳନ ବେଆଇନ। ଏହା କ’ଣ କେବଳ ଏକ ସଂଯୋଗ ନା କେନ୍ଦ୍ର ସରକାରଙ୍କର ସୁପର ମ୍ୟାନେଜ୍ମେଣ୍ଟର ଆଉ ଏକ ନମୁନା! ଶାସନତନ୍ତ୍ର ଉପରୁ ଭରସା ତୁଟାଇ ସାରିଥିବା ଚାଷୀକୁଳ ତେବେ କ’ଣ ନ୍ୟାୟାଳୟ ଉପରୁ ବି ମୁହଁ ଫେରାଇବାକୁ ବାଧ୍ୟ ହେବେ? ଏବେ ଚାଷୀଙ୍କ ପାଇଁ କ’ଣ ରାଜରାସ୍ତା ହଁି ଏକମାତ୍ର ଭରସା? ରାଜରାସ୍ତାରେ ଚାଷୀମାନଙ୍କ ଉପରେ ଗାଡ଼ି ଚଢ଼େଇ ହତ୍ୟା କରାଯାଉଛି। ରାସ୍ତା ଉପରେ କଣ୍ଟା ପୋତାଯାଇ ଚାଷୀଙ୍କ ବାଟ ବନ୍ଦ କରାଯାଉଛି। ଚାଷୀମାନଙ୍କୁ ଖଲିସ୍ତାନୀ ଆତଙ୍କବାଦୀ କୁହାଯାଉଛି। ତେବେ ନିଜର ପ୍ରତିବାଦ ଜଣେଇବାକୁ ଚାଷୀଙ୍କ ପାଖରେ ଆଉ ରାସ୍ତା କ’ଣ ବଞ୍ଚତ୍ଲା? ଏହାଦ୍ୱାରା ସରକାର ପରୋକ୍ଷରେ ଚେତାବନୀ ଦେଉଛନ୍ତି ଯେ, ମର ପଡ଼ ପଛେ; କିନ୍ତୁ ଆମ କଥା ମାନିନିଅ। ଠିକ୍ ଏମିତି ତ ବ୍ରିଟିଶ୍ମାନେ ପରାଧୀନ ଭାରତରେ କହୁଥିଲେ।
ଏପରି ବର୍ବରୋଚିତ କାଣ୍ଡ ପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା କହିଲେ, ଚାଷୀମାନେ ନିଜେ ହିଂସା କରିବାରୁ କିଛି ଚାଷୀ ମୃତ୍ୟୁବରଣ କରିଛନ୍ତି। ବହୁ ଗଣମାଧ୍ୟମ ମନ୍ତ୍ରୀଙ୍କ କଥାକୁ ପ୍ରଚାର କଲେ ଯେ, ଚାଷୀମାନେ ହିଂସ୍ର ହୋଇ ଉଠିବାରୁ ଏପରି ଘଟଣା ଘଟିଗଲା। କୌଣସି ଆଗ ଧାଡ଼ିର ଗଣମାଧ୍ୟମଗୁଡ଼ିକ ଚାଷୀମାନଙ୍କ ଉପରେ ହୋଇଥିବା ସଂହାରଲୀଳାକୁ ପ୍ରଚାର ନ କରେଇ ଓଲଟି ଚାଷୀମାନଙ୍କ ଉପରେ ଦୋଷ ଲଦି ଚାଲିଲେ। କିନ୍ତୁ ଭାଗ୍ୟ ଭଲ, ସାମାଜିକ ଗଣମାଧ୍ୟମ ଯୋଗୁ ଚାଷୀମାନଙ୍କ ଉପରେ ଗାଡ଼ି ଚଢ଼ା ହୋଇଥିବାର ଭିଡିଓ ସାମ୍ନାକୁ ଆସିଲା। ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ଯେ, ଶାନ୍ତିପୂର୍ଣ୍ଣ ଭାବେ ଚାଷୀମାନେ ଚାଲୁଥିବା ବେଳେ ପଛପଟୁ ଗାଡ଼ି ତାଙ୍କୁ ଚକଟି ଚାଲିଯାଉଛି। ଏତଦ୍ବ୍ୟତୀତ ଛାତି ଥରେଇ ଦେଇଥିବା ଏହି ଘଟଣାରେ ଯେତେବେଳେ ସାରା ଦେଶ ସ୍ତବ୍ଧ ଓ ଚାଷୀମାନେ ମୃତକଙ୍କ ଶବ ରଖି ଆନ୍ଦୋଳନ କରୁଛନ୍ତି, ସେତେବେଳେ ଗଣମାଧ୍ୟମ ଆବଶ୍ୟକ ଭୂମିକା ନେବାରେ ପଛରେ ରହିଲା। ସବୁଠାରୁ ଦୁଃଖ, ପରିତାପ ଓ ଦୁର୍ଭାଗ୍ୟର ବିଷୟ ଯେ, ଆମ ପ୍ରଧାନମନ୍ତ୍ରୀ ଚାରିଦିନ ଯାଏ ବି ଘଟଣା ସମ୍ବନ୍ଧରେ ପଦେ କହିଲେ ନାହଁି କି ଅଭିଯୁକ୍ତ ବ୍ୟକ୍ତିଙ୍କ ବାପା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବିତାଡ଼ିତ କଲେ ନାହିଁି। ତା’ହେଲେ କ’ଣ ବୁଝିବାକୁ ହେବ ଯେ, ସମସ୍ତେ ଗୋଟିଏ ପଟେ ଥିବା ବେଳେ ବିଚରା ଚାଷୀମାନେ ଗୋଟିଏ ପଟେ! ତେବେ କ’ଣ ଏହା ଏକ ଉନ୍ମତ୍ତ ଯୁବକର କାଣ୍ଡ ନୁହେଁ, ଖୋଦ୍ ସରକାର ବି ଚାଷୀମାନଙ୍କୁ ଏମିତି ସାବାଡ଼୍ କରିବାକୁ ଚାହାନ୍ତି?
ଦୀର୍ଘଦିନ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ସରକାର ଭ୍ରୂକ୍ଷେପ ନ କରିବା ଓ ଚାଷୀମାନଙ୍କ ଉପରେ ଗାଡ଼ି ମଡ଼େଇ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଓ ସମୁଦାୟ ଘଟଣାରେ ପ୍ରଧାନମନ୍ତ୍ରୀ ନୀରବତା ଅବଲମ୍ବନ କରିବା ମାଧ୍ୟମରେ ସରକାର କ’ଣ ବାର୍ତ୍ତା ଦେବାକୁ ଚାହଁଁୁଛନ୍ତି ଯେ, ସରକାର ଓ ପ୍ରଧାନମନ୍ତ୍ରୀ ପ୍ରତିବାଦର ଊର୍ଦ୍ଧ୍ୱରେ। ସରକାରଙ୍କୁ କେହି ବିରୋଧ କରିପାରିବେ ନାହଁି? ଯଦି ଯିଏ ବିରୋଧ କରିବ, ସେମାନଙ୍କୁ ଲଖିମ୍ପୁର ଖେରି ପରି ଘଟଣାକୁ ସାମ୍ନା କରିବାକୁ ପଡ଼ିବ। ସରକାର କ’ଣ ତାଙ୍କ ବିରୋଧୀମାନଙ୍କୁ ଡରେଇ ଧମକେଇ ହତ୍ୟା କରି ସାବାଡ଼୍ କରିବାକୁ ଚାହଁୁଛନ୍ତି! ଏହା କ’ଣ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ପରିଚୟ? ଏହା ସ୍ପଷ୍ଟ ଯେ, ଏପରି କାମ ଦ୍ୱାରା ସରକାର ବାର୍ତ୍ତା ଦେବାକୁ ଚାହଁୁଛନ୍ତି, ଲୋକମାନଙ୍କୁ ଡରିବାକୁ ହେବ। ନ ଡରିଲେ ମରିବ। ବଲିଉଡ୍ରେ ଗୋଟିଏ ଭୂତ ସିନେମା ଥିଲା ‘ଡର୍ନା ମନା ହୈ’। ସରକାରଙ୍କ ଏହି ଚଳଚ୍ଚିତ୍ରର ନଁା ହେବ ‘ଡର୍ନା ଜରୁରୀ ହୈ’।
ଅଭିଯୁକ୍ତ ମନ୍ତ୍ରୀଙ୍କ ପୁଅ କିଛିଦିନ ଖୋଲାରେ ବୁଲିବା ପରେ ତାଙ୍କୁ ବିଳମ୍ବରେ ଗିରଫ କରାଯାଇଛି। ଏଥିରୁ ଗୋଟିଏ କଥା ବୁଝି ହେଉଛି ଯେ, ଆମ ଦେଶର ଚାଷୀମାନଙ୍କ ଭାଗ୍ୟ ବଡ଼ବଡ଼ିଆ ନେତାମାନଙ୍କ ଗାଡ଼ିର ଚକା ତଳେ। କିନ୍ତୁ ଇତିହାସ ବାରମ୍ବାର ପ୍ରମାଣ କରିସାରିଛି ଯେ, କିଛି ଲୋକଙ୍କୁ କିଛି ଦିନ ପାଇଁ ବନ୍ଧୁକ ମୁନରେ ବା ପୋଲିସ ଭୟରେ ବା ଗାଡ଼ିର ଚକା ତଳେ ପେଷି ଦେଇ ହେବ। କିନ୍ତୁ ସବୁ ଲୋକଙ୍କୁ ସବୁ ଦିନ ପାଇଁ ନୁହେଁ। କଥା କଥାରେ ରାମାୟଣର ଉଦାହରଣ ଦେଉଥିବା ସରକାର ବୋଧେ ଭୁଲି ଯାଉଛନ୍ତି ରାମାୟଣରେ ରାବଣର ଅହଂକାର ବି ରହିଲାନି। ଇତିହାସରେ ହିଟ୍ଲର୍ ଓ ମୁସୋଲିନୀଙ୍କ ପରି ନିଷ୍ଠୁର ଶାସକଙ୍କ ବଡ଼େଇ ମଧ୍ୟ ନିଶ୍ଚିହ୍ନ ହୋଇଗଲା। ସେହିପରି ସରକାରଙ୍କ ଔଦ୍ଧତ୍ୟ ରହିବନି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରତ ଚାଷୀଙ୍କ ମିଳିତ ଶକ୍ତି ଓ ଶହୀଦ୍ ହୋଇଥିବା ଚାଷୀଙ୍କ ବଳିଦାନ ଶାସନତନ୍ତ୍ରକୁ ଦିନେ ନା ଦିନେ ଉଚିତ ଜବାବ ଦେବ।
ଏବେ ସାଧାରଣ ଲୋକମାନଙ୍କ ପାଇଁ ବି ଘଟଣାକୁ ଗମ୍ଭୀରତାର ସହିତ ବୁଝିବାର ସମୟ ଆସିଯାଇଛି। ଆଜି ଯେତେବେଳେ ଚକା ତଳେ ଚାଷୀମାନେ ମରୁଛନ୍ତି, ଆମେ ଯଦି ଚୁପ୍ ରହିବା ତେବେ ସମୟ ଆସିବ ସେ ଚକା ତଳେ ଆମ ପାଳି ବି ପଡ଼ିବ। ତେଣୁ ଦଳ ମତ ନିର୍ବିଶେଷରେ ସଂପ୍ରତି ଚାଷୀ ତଥା ଅନ୍ନଦାତାଙ୍କ ପଛରେ ଠିଆହେବାର ସମୟ ଆସିଛି।
ଭିରଙ୍ଗ, ତିରଣ, ଜଗତ୍ସିଂହପୁର
ମୋ: ୯୪୩୮୪୬୮୪୭୪