ଅତ୍ୟାଧୁନିକ ଶୈଳୀରେ ଚାଷକରି ସ୍ବାବଲମ୍ବୀ ହେଉଛନ୍ତି ଚାଷୀ

ଯୋଡ଼ା,୨୮ା୭(ମାନସ ମହାନ୍ତି): କେନ୍ଦୁଝର ଜିଲାର ଖଣି ଅଧ୍ୟୁଷିତ ଯୋଡ଼ା ଅଞ୍ଚଳରେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌)ର କୃଷିଭିତ୍ତିକ ପଦକ୍ଷେପ ଗତ କିଛି ବର୍ଷ ମଧ୍ୟରେ ଅଞ୍ଚଳର ରୂପାନ୍ତରଣ ଓ ସମୃଦ୍ଧି ଆଣିପାରିଛି। ଠିକ୍‌ ସହାୟତା କିଭଳି ଜଣେ ଚାଷୀଙ୍କୁ ଉଦ୍ୟୋଗୀରେ ପରିଣତ କରିପାରେ। ଅଭିଳାଷ ଓ ଉତ୍ସର୍ଗୀକୃତ ମନୋଭାବାର ଜଣେ ପ୍ରେରଣାଦାୟୀ ଦୃଷ୍ଟାନ୍ତ ଭାବେ ଉଭା ହୋଇପାରେ, ତାହା ଯୋଡ଼ା ୨ ନଂ. ୱାର୍ଡର ମୁଖାର୍ଜୀ ହାଟିଂର ବାସିନ୍ଦା ଗଙ୍ଗାଧର ମୁଣ୍ଡା ସାବ୍ୟସ୍ତ କରିଛନ୍ତି।
ଗତବର୍ଷ ଟିଏସ୍‌ଏଫ୍‌ ସହାୟତାରେ ଗଙ୍ଗାଧର ୪ ଏକର ଜମିରେ ମିଠା ମକା ଚାଷକରି ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଲାଭ କରିଥିଲେ। ଚଳିତ ବର୍ଷ ସେ ଆଗୁଆ ଫୁଲକୋବି ଚାଷକରି ଅଧିକ ଲାଭ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଆର୍ଦ୍ରତା ପ୍ରତିରୋଧୀ ଓ ପ୍ରାକୃତିକ ଭାବେ ପ୍ରବାହିତ ପଲି ହାଉସ ସହାୟତାରେ ଚଳିତ ଗ୍ରୀଷ୍ମଋତୁରେ ହଳଦିଆ ତରଭ୍‌ୁଜ ଚାଷ କରିବାକୁ ଯୋଜନା ରଖିଥିବା ସେ କହିଛନ୍ତି। ସେହିପରି, ଉକ୍ତ ଅଞ୍ଚଳର ସରୋଜ ନାୟକ ମଧ୍ୟ ନିଜ ୨.୫ ଏକର ଜମିରୁ ଅଭିବୃଦ୍ଧି ଓ ଅର୍ଥନୈତିକ ସ୍ବାଧୀନତାର ଯାତ୍ରାକୁ ଅନୁଭବ କରିଛନ୍ତି। ଗତବର୍ଷ ମିଠା ମକା ଓ ବ୍ରୋକୋଲି ଚାଷରୁ ବିପୁଳ ସଫଳତା ପାଇବା ପରେ ଚଳିତ ବର୍ଷ ଡ୍ରାଗନ ଫ୍ରୁଟ୍‌ କ୍ଷେତରୁ ସେ ଉଚ୍ଚ ଆଶା ରଖିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଉନ୍ନତ ଚାଷ କାର୍ଯ୍ୟ ପାଇଁ ଯୋଡ଼ା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ୧୦ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଇଛି। ଏହା ବ୍ୟତୀତ ଉନ୍ନତ ଚାଷ ଉପକରଣ ଓ ପଦ୍ଧତିକୁ ଗ୍ରହଣକରି ଅଞ୍ଚଳର ପ୍ରାୟ ୨୫୦ ଜଣ ଚାଷୀ ସେମାନଙ୍କ ଫସଲରେ ବିବିଧତା ଆଣି ବନ୍ଧାକୋବି, ବାଇଗଣ, ବ୍ରୋକୋଲି, ଭେଣ୍ଡି, ଟମାଟୋ ଓ କଦଳୀ ଚାଷ କରୁଛନ୍ତି। ଏହାଦ୍ୱାରା ସେମାନେ ମାସିକ ୧୫ ରୁ ୨୦ ହଜାର ଟଙ୍କା ଆୟ କରୁଛନ୍ତି। ଏହା ସେମାନଙ୍କ ପରିବାରର ଜୀବନଜୀବିକାରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିଛି। କୃଷିଭିତ୍ତିକ ପଦକ୍ଷେପ ଉପରେ ଟିଏସ୍‌ଏଫ୍‌ର ତାଲିମ ଅଧିବେଶନ ଓ କର୍ମଶାଳାରେ ଅଂଶଗ୍ରହଣ କରି ବହୁ ସ୍ଥାନୀୟ ଚାଷୀ ଆଧୁନିକ ଚାଷ ପଦ୍ଧତି ଉପରେ ଜ୍ଞାନ ହାସଲ କରିଛନ୍ତି। ସରୋଜ ଓ ଗଙ୍ଗାଧରଙ୍କ ଭଳି ବହୁ ବ୍ୟକ୍ତିଙ୍କୁ ସମୃଦ୍ଧ କରି ଏହି ଅଞ୍ଚଳରେ ସମୃଦ୍ଧି ଓ ନିରନ୍ତର ଜୀବନଜୀବିକାକୁ ସୁନିଶ୍ଚିତ କରିବାକୁ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ ପ୍ରତିବଦ୍ଧ ବୋଲି କର୍ପୋରେଟ୍‌ କମ୍ୟୁନିକେଶନ ଅଧିକାରୀ ଶୁଭଙ୍କର ବେହେରା କହିଛନ୍ତି।