ବରଗଡ଼ ଅଫିସ,୨୨।୫: ବରଗଡ଼ ଜିଲାରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ଅନୁଭୂତ ହୋଇଛି। ଜିଲାର ଅତାବିରା, ବରଗଡ଼, ବରପାଲି ଆଦି ଅଞ୍ଚଳରେ ଝଡ଼ବର୍ଷା ହୋଇଛି। ଝଡବର୍ଷା ଯୋଗୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହେଲେ ଜିଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି।
ତେବେ ରବି ଧାନ ଅମଳ ପ୍ରକ୍ରିୟା ଚାଲିଥିବା ବେଳେ କାଳବୈଶାଖୀ ଚାଷୀଙ୍କ ଚିନ୍ତା ବଢାଇଦେଇଛି। କ୍ଷେତ, ଖଳାରେ ପଡିଥିବା ଅମଳ ଧାନ ପ୍ରଭାବିତ ହୋଇଛି। ସେହିପରି କେତେକ ଚାଷୀ ରାସ୍ତାରେ ଅମଳ ଧାନ ଶୁଖାଇ ଥିବାବେଳେ ତାହା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଭିତ୍ତିଭୂମି ଠିକ୍ ନ ଥିବା ଯୋଗୁ ମଣ୍ଡିରେ ପଡିଥିବା ଧାନକୁ ମଧ୍ୟ ଚାଷୀ ସୁରକ୍ଷିତ ମଣୁ ନାହାନ୍ତି। ଝଡବର୍ଷା ଲାଗି ରହିଲେ ଆଗକୁ କ୍ଷୟକ୍ଷତିର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି। ଫଳରେ ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଚାଷୀମାନେ ଦାବି କରି ଆସୁଛନ୍ତି। ଅନ୍ୟପକ୍ଷେ ମଣ୍ଡିଗୁଡିକରେ ଧାନ ଉଠାଣ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ମଣ୍ଡିକୁ ମିଲର୍ସ ଆସୁ ନ ଥିବା ଯୋଗୁ ଏଭଳି ସମସ୍ୟା ଉପୁଜୁଛି। ତେବେ ନିଜ ଅପାରଗତାକୁ ଲୁଚାଇବା ପାଇଁ ଚାଷୀଙ୍କୁ ଆଗୁଆ ଟୋକନ ଦିଆଯାଉଥିବା ବେଳେ ମଣ୍ଡିକୁ ଆସୁଥିବା ଧାନକୁ ତତ୍କାଳ ଏଣ୍ଟ୍ରି କରାଯାଉ ନାହିଁ। ଧାନ ଉଠାଣ ଦିନ ହିଁ କାଗଜପତ୍ରରେ ସେହିଧାନକୁ ଏଣ୍ଟ୍ରି ଦର୍ଶାଯାଉଛି ବୋଲି ଚାଷୀମାନେ କହିଛନ୍ତି।