ଆନନ୍ଦପୁର, ୯।୪(ସ୍ବ.ପ୍ର.)
କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ବ୍ୟାରେଜ ପ୍ରୋଜେକ୍ଟ ବାମପାର୍ଶ୍ୱ କେନାଲ ଦ୍ୱାରା କ୍ଷତିଗ୍ରସ୍ତ ପଦ୍ମପୁର ଗ୍ରାମର ଚାଷୀମାନେ ଶୁକ୍ରବାର କେନାଲ ନିର୍ମାଣ ସ୍ଥାନରେ ଧାରଣାରେ ବସିଛନ୍ତି। ସେମାନେ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଉପଯୁକ୍ତ କ୍ଷତିପୂରଣ ଦାବି କରିଆସିଛନ୍ତି। କ୍ଷତିପୂରଣ ତ ମିଳିବା ଦୂରର କଥା ଜୋର ଜବରଦସ୍ତ ସେମାନଙ୍କ ଜମିରୁ ହଟାଯାଇ କେନାଲ ନିର୍ମାଣ କାର୍ଯ୍ୟ ସ୍ବାଭାବିକ କରିବାକୁ ପ୍ରୟାସ ଆରମ୍ଭ କରାଯାଇଛି। ଦିନକୁ ଦିନ ଜମିର ମୂଲ୍ୟାୟନ ବୃଦ୍ଧି ପାଉଥିବା ବେଳେ ସରକାରୀ ସ୍ତରରେ ଶାଗ ମାଛ ଦରରେ ଜମି ଅଧିଗ୍ରହଣ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଆନନ୍ଦପୁର ପୌର ପରିଷଦର ପଦ୍ମପୁର ଗ୍ରାମର ୯୦ ପ୍ରତିଶତ ଚାଷୀ ପନିପରିବା ଚାଷ ଉପରେ ନିର୍ଭର କରି ପରିବାର ଭରଣପୋଷଣ କରିଥାନ୍ତି। ଉକ୍ତ କେନାଲ ପାଇଁ ଜମି ହରାଇବା ଦ୍ୱାରା ପଦ୍ମପୁରର ୧ ଓ ୨ ନଂ. ଓ୍ବାର୍ଡର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଣୁ ପ୍ରତିବାଦ ସ୍ବରୂପ ଜମି ହରାଇଥିବା ଚାଷୀମାନେ ଠିକ୍ ମୂଲ୍ୟ ଦାବିରେ ଧାରଣାକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି।