Categories: ଜାତୀୟ

କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ,୩।୧: ପ୍ରାୟ ମାସେ ହେବ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ରବିବାର ହରିୟାଣା ସୀମାରେ ଚାଷୀ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ସଂଘର୍ଷ ଏତେ ବଢିଗଲା ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଚାଷୀଙ୍କୁ ଲାଠିଚାର୍ଜ କରିବାକୁ ପଡ଼ିଲା। କେବଳ ଏତିକି ନୁହେଁ, ହରିୟାଣା ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଲୁହବୁହା ଗ୍ୟାସ୍‌ ମଧ୍ୟ ଛାଡିଛି। ରାଜପଥରେ ଚାଷୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଫଳରେ ୫ କିଲୋମିଟର ପର୍ଯ୍ୟନ୍ତ ଯାନବାହାନ ଅଟକ ରହିଛି। ହରିୟାଣାର ଧାରୁହେଡା ନିକଟରେ ସମସ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇ ଦିଆଯାଇଛି। ଏହି ସମସ୍ତ କୃଷକ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବାକୁ ଯାଇଥିଲେ। ସେମାନେ ହରିୟାଣା ଦେଇ ଦିଲ୍ଲୀରେ ପହଞ୍ଚିବାକୁ ଚାହୁଁଥିଲେ। କିନ୍ତୁ ହରିୟାଣା ପୋଲିସ ସେମାନଙ୍କୁ ଅଟକାଇଛି। ଏହାପୂର୍ବରୁ ଗୁରୁବାର ଦିନ ରାଜସ୍ଥାନର ଏକ କୃଷକ ଦଳ ଶାହାଜାହାନପୁରରେ ରାଜସ୍ଥାନ-ହରିୟାଣା ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପ୍ରାୟ ଡର୍ଜନରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ବ୍ୟାରିକେଡିଂ ଭାଙ୍ଗି ହରିୟାଣାରେ ପ୍ରବେଶ କରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ।

Share