ଲଘୁଚାପ ବର୍ଷାକୁ ନେଇ ଭୟଭୀତ ଚାଷୀ

ଯାଜପୁର ସଦର,୬।୧୨(ସମର ବିଜୟ ଶରଣ): ଲଘୁଚାପ ବର୍ଷାକୁ ନେଇ ଯାଜପୁର ବ୍ଲକ୍‌ ଅଞ୍ଚଳର ଚାଷୀ ଭୟଭୀତ ହୋଇ ପଡ଼ିଛନ୍ତି। ଯଦି ବର୍ଷା ହୁଏ ତେବେ ଅନେକ ପାଚିଲା ଧାନ ନଷ୍ଟ ହେବ। ଏବେ ଧାନ ପାଚି ବିଲରେ ଅଛି। ଆଉ କିଛି ଦିନ ପରେ ଧାନ କଟା ଆରମ୍ଭ ହେବ। ତେଣୁ ବର୍ଷା ହେଲେ ଧାନକ୍ଷେତରେ ଥିବା ପାଚିଲା ଧାନ କେଣ୍ଡା ସବୁ ଛିଣ୍ଡି ଯାଇ ତଳେ ପଡ଼ିଯିବ। ଯାହାକୁ ଆଉ ଅମଳ କରି ହେବନାହିଁ। ଧାନର ରଙ୍ଗ ମଧ୍ୟ ଫିକା ପଡିଯିବ। ଫଳରେ ସେ ଚାଉଳ ଆଉ ଖାଦ୍ୟ ଉପଯୋଗୀ ହୋଇପାରିବ ନାହିଁ। ଯେଉଁ ଅଳ୍ପ କେତେଜଣ ଚାଷୀ ଆଗୁଆ ଚାଷ କରିଥିଲେ ସେମାନେ ଧାନ କାଟି ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିବା ଦେଖିବାକୁ ମିଳିଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେତେବେଳେ ଯେ ବର୍ଷା ହେବ ତାହା କହିହେବ ନାହିଁ। ଆଗାମୀ ୪/୫ ଦିନ ମଧ୍ୟରେ ଯଦି ବର୍ଷା ହୁଏ ତେବେ ଚାଷୀକୁ ବ୍ୟାପକ କ୍ଷତି ସହିବାକୁ ପଡ଼ିବ। ବ୍ଲକ୍‌ର ମୋଟ୍‌ ୧୨୮୫୯ ହେକ୍ଟର ଜମିରୁ ଚଳିତ ରବି ଋତୁରେ ଧାନ ଚାଷ ପାଇଁ ୪୬୦ ହେକ୍ଟର ଓ ଅବଶିଷ୍ଟ ଜମିରେ ବାଦାମ, ମୁଗ, ବିରି, କୋଳଥ ଓ ପନିପରିବା ଚାଷ କରାଯାଇଛି। ଏ ସମ୍ପର୍କରେ ଶ୍ୟାମଦାସପୁର ପଞ୍ଚାୟତ ମାଧପୁର ଗ୍ରାମର ଚାଷୀ ଗୋପୀନାଥ ବିଶ୍ୱାଳ କହିଛନ୍ତି, ବର୍ଷା ହେଲେ ଧାନ ଚାଷର ଅଧିକ କ୍ଷତି ଘଟିବ। ଯଦି ଅଳ୍ପ ବର୍ଷା ହୁଏ ତେବେ ରବି ଜାତୀୟ ଫସଲକୁ ଉପକାର ହେବ। ବର୍ଷା ଅଧିକ ହେଲେ ପୋଟଳ ଚାରା ମୂଳ ପଚିଯିବ, ବାଦାମରେ ଯଉଆ ରୋଗ ବ୍ୟାପୀବ, ବାଇଗଣରେ ଶଢ଼ା ରୋଗ ଧରିବ ଓ ଅନ୍ୟ ଚାଷ ବି ବର୍ଷା ପାଣିରେ ପଚିଯିବ। ଫଳରେ ଚାଷୀଙ୍କ ବହୁ କ୍ଷତି ଘଟିବ।