ଚାଷୀ ଚଢ଼ା ଦରରେ କିଣୁଛି ସାର

ଛତ୍ରପୁର,୧୫ା୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସାରର କଳାବଜାର ହେଉଥିବା ଋଷିକୁଲ୍ୟା ରୟତ ମହାସଭା ଅଭିଯୋଗ କରିଛି। ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ପଟାସ ସାରର ଆବଶ୍ୟକତା ହେଉଛି। ଜିଲାକୁ ସୋସାଇଟିମାନଙ୍କ ଅପେକ୍ଷା ଘରୋଇ ସାର କମ୍ପାନୀ ଡିଲରମାନଙ୍କୁ ଅଧିକ ପରିମାଣର ସାର ଆସିଥାଏ। କେତେକ ସମବାୟ ସମିତି ମଧ୍ୟ ସାର ଆଣିନଥାନ୍ତି। ଫଳରେ ଚାଷୀମାନେ ବାଧ୍ୟ ହୋଇ ଘରୋଇ ସାର ଡିଲରମାନଙ୍କଠାରୁ ଚଢା ଦରରେ ସାର କିଣି କ୍ଷତିଗ୍ରସ୍ତ ହେଉଥିବା ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଆବଶ୍ୟକ ସମୟରେ ସୋସାଇଟିକୁ ସାର ଯୋଗାଣ ହୋଇନଥାଏ। ବର୍ତ୍ତମାନ ଅଧିକାଂଶ ସୋସାଇଟିରେ ସାର ସରିଗଲାଣି। ସେମାନେ ମଧ୍ୟ ରିସ୍କ ନେଇ ଆଉ ସାର ଆଣିବା ପାଇଁ ଆଗ୍ରହ ହେଉନାହାନ୍ତି। ଏପରି ସ୍ଥଳେ ୟୁରିଆ ସାରର ମୂଲ୍ୟ ୨୬୬.୫୦ ଟଙ୍କା ଧାର୍ଯ୍ୟ ଥିବାବେଳେ ୩୫୦ ଟଙ୍କାରେ ଘରୋଇ ଡିଲରମାନେ ବିକ୍ରି କରୁଥିବା ମହାସଭା ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ଗ୍ରୋମର ସାର ୧୫୫୦ ଏବଂ ପଟାସ ସାର ୧୮୫୦ ଟଙ୍କାରେ ଘରୋଇ ଡିଲରମାନେ ବିକି ଚାଷୀଙ୍କୁ ଠକୁଛନ୍ତି। ଏପରିକି ଭାଗଚାଷୀମାନେ ସୋସାଇଟିର ସଭ୍ୟ ନଥିବାରୁ ସେମାନଙ୍କୁ ସୋସାଇଟିରୁ ସାର ମିଳୁନି। ଏଣୁ ସେମାନେ ବାଧ୍ୟ ହୋଇ ଘରୋଇ ସାର ଡିଲରମାନଙ୍କ ଠାରୁ ସାର କିଣି କ୍ଷତି ସହୁଛନ୍ତି। ଏଣୁ ସମସ୍ତ ଭାଗଚାଷୀ, ଚାଷୀଙ୍କୁ ସରକାରୀ ଦରରେ ସାର ଯୋଗାଇବା ସହ ଏହାର କଳାବଜାର ରୋକିବାକୁ ଦାବି ହୋଇଛି। ଏନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି।

Share