କେନ୍ଦୁଝର,୨୫ା୧୨: କେନ୍ଦୁଝର ଜିଲାରେ ବିଲାତିର ଅଭାବୀ ବିକ୍ରି ଦେଖାଯାଇଛି। ଚାଷୀ ଉଚିତ ମୂଲ୍ୟ ପାଉ ନ ଥିବାରୁ ଚିନ୍ତାରେ ରହିଛନ୍ତି। ଚାଷ ଭଲ ହୋଇଥିଲେ ମଧ୍ୟ ଚାଷୀ ସକାଳୁ ବେପାରୀଙ୍କୁ ଅପେକ୍ଷା କରି ଜମିରେ ବସି ରହୁଛନ୍ତି। ମାତ୍ର କମ୍ ଦରରେ ବ୍ୟବସାୟୀ ବିଲାତି ନେଉନାହାନ୍ତି। ଚାଷୀ ୨୫ କିଲୋ ବିଲାତି ଟ୍ରେକୁ ୧୫୦ ଟଙ୍କାରେ ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। ଉଦ୍ୟାନ ଓ କୃଷି ବିଭାଗ ପ୍ରୋତ୍ସାହନରେ ଚାଷୀମାନେ ବିଲାତି ତଥା ଅନ୍ୟ ପନିପରିବା ଚାଷ କରୁଥିଲେ ହେଁ ସେସବୁ ବିକ୍ରିବଟା ପାଇଁ କୌଣସି ବଜାର ସୁବିଧା ନାହିଁ। ଏବେ ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ୱ ଟନ୍ ବିଲାତି ଅମଳ ହେଉଥିଲେ ହେଁ ବିକ୍ରି ହୋଇ ପାରୁ ନ ଥିବାରୁ ବହୁ ବିଲାତି ନଷ୍ଟ ହେଉଛି ବୋଲି ଚାଷୀ ପ୍ରଦୀପ ସେଠୀ କହିଛନ୍ତି। ଅଭାବୀ ବିକ୍ରିକୁ ଦୂରେଇବା ପାଇଁ ଅଞ୍ଚଳରେ ଏକ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଦାବି ହେଉଛି।
ପ୍ରକାଶ ଯେ, କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ଟିକରପଡ଼ା, ରାଜବନ୍ଧ, ନୂଆଗାଁ, ରାଇସୁଆଁ, ମହାଦେଇଯୋଡ଼ା, ପଦ୍ମପୁର ଆଦି ଅଞ୍ଚଳରେ ବିଲାତି ଚାଷ ଅଧିକ ହୋଇଛି। ଏହା ବ୍ୟତୀତ ମଇଦାନକେଲ, କାଠବାରି ଆଦି ଅଞ୍ଚଳରେ ଚାଷୀମାନେ ମୁଖ୍ୟତଃ ବିଲାତି ଚାଷ କରିଥାନ୍ତି। ଏବେ ବିଲାତି ଅମଳ ହେଉଥିଲେ ହେଁ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ନାହିଁ। ଫଳରେ ଚାଷୀମାନେ ନଷ୍ଟ ହେବା ଭୟରେ କିଲୋ ପିଛା ୬ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାରରେ ବିଲାତି ଅଧିକ ହେତୁ ବ୍ୟବସାୟୀ କ୍ଷତି ସହି ନେବାକୁ ଅମଙ୍ଗ ହେଉଛନ୍ତି। ଅନେକ ଚାଷୀ ନିଜ ଖର୍ଚ୍ଚରେ ପମ୍ପ ବସାଇ ପାଣି ଆଣି ବିଲାତି ଚାଷ କରିଛନ୍ତି। କିନ୍ତୁ ବାହାର ରାଜ୍ୟ ବିହାର, ଝାଡ଼ଖଣ୍ଡ ତଥା ବାହାର ଜିଲାର ବିଲାତି ଜିଲାକୁ ଆସି ବିକ୍ରି କରାଯାଉଥିଲେ ହେଁ ଏଠାକାର ଚାଷୀ ଉଚିତ ମୂଲ୍ୟ ପାଇପାରୁନାହାନ୍ତି। ସାର ଓ ବିହନ ମୂଲ୍ୟ ଭରଣା ପାଇଁ ନିଜେ ବଜାରରେ ବସି ବ୍ୟବସାୟ କରିବାକୁ ପଡ଼ୁଛି ବୋଲି ଚାଷୀ ଲଘୁ ସୋରେନ କହିଛନ୍ତି। ଅଭାବୀ ବିକ୍ରି କାରଣରୁ ଅନେକ ଚାଷୀ କ୍ଷେତରୁ ବିଲାତି ତୋଳୁ ନ ଥିବା ମଧ୍ୟ ଦେଖିବାକୁ ମିଳିଛି। ଅଭାବୀ ଜିଲା ସହିତ ସମନ୍ବୟ ରକ୍ଷା କରି ବିଲାତି ଚାଲାଣ କରାଯାଇ ପାରିଲେ ଚାଷୀମାନେ ଉଚିତ ମୂଲ୍ୟ ପାଇପାରିବେ ବୋଲି ବିଶ୍ୱମ୍ବର ମାଝୀଙ୍କ ସମେତ ବହୁ ଚାଷୀ ମତବ୍ୟକ୍ତ କରୁଛନ୍ତି। ଟନରୁ ଊର୍ଦ୍ଧ୍ୱ ବିଲାତି ବାହାରୁ ଥିବାରୁ କୌଣସି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ (ଫୁଡ୍ ପ୍ରୋସେସିଂ ୟୁନିଟ୍) ପ୍ରତିଷ୍ଠା କରି ବିଲାତି ସସ୍ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କୁ ସିଧାସଳଖ ବିକ୍ରି କରାଯାଇପାରନ୍ତା। ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ପ୍ରତ୍ୟେକ ବର୍ଷ ଜମିବାଡ଼ିରେ ବିଲାତି ତୋଳା ହୋଇ ନ ପାରି ପଚୁଛି। ସେହିପରି ବିଭିନ୍ନ ହଷ୍ଟେଲକୁ ବିଲାତି ଯୋଗାଣ ହେଲେ ଛାତ୍ରୀଛାତ୍ରମାନେ ଭଲ ପରିବା ଖାଇବାକୁ ପାଇପାରିବେ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା ମତ ଦେଇଛନ୍ତି ।
ଏନେଇ ଉଦ୍ୟାନ ଉପନିର୍ଦ୍ଦେଶକ ଡ. ଜୟନ୍ତ ନାଏକ କହିଛନ୍ତି, ଏପିସି (ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର) ଗୁଡ଼ିକ ଏହାର ମାର୍କେଟିଂ କରୁଛନ୍ତି। ଆଗରୁ ଚାଷୀ ନିଜେ ଚୟନ କରୁଥିଲେ। ଏବେ ବଜାରର ଚାହିଦାକୁ ଦେଖି ଚାଷ କରିବା ପାଇଁ ଏପିସିମାନେ ପଦକ୍ଷେପ ନେଉଛନ୍ତି। ଫଳରେ ଆଗକୁ ଅଭାବୀ ବିକ୍ରି ସମସ୍ୟା ହେବ ନାହିଁ। ସେହିପରି ବିଭିନ୍ନ ଛାତ୍ରାବାସକୁ ବିଲାତି ପଠାଇବା ଓ ପ୍ରୋସେସିଂ ୟୁନିଟ ସ୍ଥାପନା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କହିଥିଲେ।
ନରେଶ ଚନ୍ଦ୍ର ପଟ୍ଟନାୟକ